ଅନୁଗୋଳ: ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଚାଲିଥିବା ମେଗା ଟିକାକରଣ କେନ୍ଦ୍ରରେ ଟିକାକରଣ କୁ ବିରୋଧ କରିବା ସହ ନବୀନଙ୍କ ପୋଷ୍ଟର ଚିରିବାକୁ ଦେଖାଦେଇଛି ବିବାଦୀୟ ସ୍ଥିତି । ଏନେଇ ମାମଲା ଥାନାରେ ପହଁଚିଛି । ବିଜେପି କର୍ମୀଙ୍କ ବିରୋଧରେ ଅଭିଯୋଗ ଅଭିଯୋଗ କରିଛନ୍ତି ବିଜେଡି କର୍ମୀ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଦୁର୍ଯ୍ୟୋଧନ ସାହୁ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ।

ଗତକାଲି ଅନୁଗୋଳ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବାକୁ ବିରୋଧ କରି ପାଟିତୁଣ୍ଡ କରିବା ସହ ନବୀନଙ୍କ ପୋଷ୍ଟର ଚିରି ଦେଇଥିଲେ ବିଜେପି କର୍ମୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା କରିଥିଲେ। ପୋଲିସ ବାରଣ ସତ୍ତ୍ୱେ ସେମାନେ ଏହି ବିରୋଧ ଓ ପୋଷ୍ଟର ଚିରା ଜାରି ରଖିଥିଲେ। ପୋଲିସ ର ବରିଷ୍ଠ ଅଧିକାରୀ ଆସିବା ପୂର୍ବରୁ ସେମାନେ ଚମ୍ପଟ ମାରିଥିଲେ ।

ପ୍ରାୟ ଦେଢ ମାସ ଧରି ଅନୁଗୋଳ ଷ୍ଟାଡିୟମରେ ଚାଲିଛି ମେଗା ଟିକାକରଣ କ୍ୟାମ୍ପ । ଗତକାଲି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବିଶୃଙ୍ଖଳା ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା ।