ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମର ନିର୍ମାଣ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର :  କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚି ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନୂଆ ଲୁକରେ ଷ୍ଟାଡିୟମ ପରିଷରରେ ପହଞ୍ଚିଥିଲେ। ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ସ୍ପୋର୍ଟି ଲୁକରେ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଟେନିସ କୋର୍ଟ ଓ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ ନବୀନ । ଏହାସହ ଓଡ଼ିଶା ମହିଳା ଫୁଟବଲ ଲିଗ୍ ମ୍ୟାଚ୍ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ନବୀନ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍‌ସରେ  ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ଭେଟି ସେମାନଙ୍କର ରହଣି ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକି କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *