ସମୁଦ୍ର ମଧ୍ୟରେ ଜଳିଗଲା ମାଛଧରା ବୋଟ: ଜୀବନ ବଂଚାଇବାକୁ ଡେଇଁଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ: ମଝି ସମୁଦ୍ର ଭିତରେ ମାଛଧରା ବୋଟରେ ନିଆଁ । ମାତ୍ର ଏଥିରେ ଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଉଦ୍ଧାର । ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଗଭୀର ସମୁଦ୍ର ଭିତରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଗତ କିଛି ଦିନ ଧରି ଚାଲିଥିବା ଲଘୁଚାପ ପରେ ଗତକାଲି ସନ୍ଧ୍ୟା ୫ଟାରେ କାଳନାଳୀ ଜେଠୀରୁ ସମରେଶ ପରିଡାଙ୍କ ଏକ ଗିଲେଟିଙ୍ଗ ବୋଟ ପଦ୍ମାବତୀ (ଆଇଏନଡି ଓଆର୦୧ଏମଏମ୮୧୮) ଗଭୀର ସମୁଦ୍ରକୁ ମାଛ ମାରିବାକୁ ବାହାରି ଥିଲା । ବୋଟରେ ଡ୍ରାଇଭର କାର୍ତ୍ତିକ ଦାସଙ୍କ ସହିତ ପରେମେଶ୍ୱର କଅଁର, ଭଜହରୀ ବୋର, ସରେନ୍ ମଣ୍ଡଳ, ରବି କର, ସୁରଞ୍ଜନ ପାତ୍ର, ଗଙ୍ଗା ମାଇତି, ମିଥୁନ ବୋର, ଚଗୁଲୁ ଓ ସୁଶାନ୍ତ ଥିଲେ। ସମୁଦ୍ରରେ ଲରଙ୍ଗ ପକାଇ ଗତକାଲି ରହିବା ପରେ ଆଜି ସକାଳ ୮ଟା ସମୟରେ ସମୁଦ୍ର ମଧ୍ୟରେ ଥିବା ହୁଇଲର ଦ୍ୱୀପର ପୁର୍ବ ଭାଗରେ ଜାଲ ପଲାଇ ମାଛ ଧରୁଥିବା ବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଯୋଗୁ ବୋଟରେ ନିଆଁ ଲାଗିଯାଇଥିଲା। କର୍ମଚାରୀମାନେ କିଛି ବୁଝିବା ଆଗରୁ ବୋଟରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଜାଲ ଓ ଆନୁସଙ୍ଗିକ ସାମଗ୍ରୀ ନଷ୍ଟ ହୋଇଯାଇଥିଲା।

ବୋଟରେ ନିଆଁଲାଗିବା ଦେଖି ୧୦ ଜଣ କର୍ମଚାରୀ ଜୀବନ ବିକଳରେ ଅନତିଦୂରରେ ଥିବା ଏକ ସହଯୋଗୀ ବୋଟ ମା ଶୀତଳ ବୋଟକୁ ସାହାଯ୍ୟ ପାଇଁ ଖବର ଦେଇ ସମୁଦ୍ର ମଧ୍ୟକୁ ଡେଇଁ ପଡିଥିଲେ । ଏମାନେ ଭାସି ଭାସି ଯାଉଥିବା ବେଳେ ଶୀତଳ ନାମକ ଏକ ବୋଟ ଉଦ୍ଧାର କରି ବୋଟ ଉପରକୁ ଉଠାଇ ଆଣିଥିଲେ ଓ ୱାରଲେସ ମାଧ୍ୟମରେ ମାଲିକ ସମରେଶକୁ ଖବର ଦେଇଥିଲେ। ଖବର ପାଇ ସମରେଶ ଧାମରା ସାମୁଦ୍ରିକ ଥାନା ଓ ଧାମରା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଧାମରା ସାମୁଦ୍ରିକ ଥାନାର ଏକ ଅତ୍ୟାଧୁନିକ ବୋଟ କ୍ଷତିଗ୍ରସ୍ତ ବୋଟ ଓ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ପାଇଁ ଗଭୀର ସମୁଦ୍ରକୁ ଯାଇତିଲେ ମଧ୍ୟ ଅଶାନ୍ତ ସମୁଦ୍ର ଓ ଉଚ୍ଚ ଲହଡିକୁ ଦେଖି ଆଗକୁ ଯିବା ପାଇଁ ସାହାସ ନ କରି ଫେରି ଆସିଥିଲା।

ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ବୋଟ ସମୁଦ୍ରରେ ଜାଲ ପକାଇସାରିଥିବାରୁ ଅନ୍ୟ ବୋଟ ମାଧ୍ୟମରେ ସମୁଦ୍ରରୁ ଜାଲ ଉଠାଇ ଫେରିବ ବୋଲି ବୋଟ ମାଲିକ ସମରେଶ ପରିଡା ସୁଚନା ଦେଇଥିଲେ। ବୋଟରେ କେମିତି ନିଆଁ ଲାଗିଲା ବୋଲି ପ୍ରଶ୍ନରେ ବୋଟ ମାଲିକ ଯାନ୍ତ୍ରକ ତ୍ରୁଟି କିମ୍ବା ବ୍ୟାଟେରି ସେଲ ଦ୍ୱାରା ନିଆଁ ଲାଗିଥିବା କଥା କହୁଥିବା ବେଳେ ପ୍ରକୃତ ଘଟଣା କେବଳ କର୍ମଚାରୀମାନେ କହି ପାରିବେ ବୋଲି ସୁଚନା ଦେଇଥିଲେ। ଗଭୀର ସମୁଦ୍ରରେ ବୋଟଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇ ଯାଇଥିବା ବୋଟ ମାଲିକ ସୁଚନା ଦେଇଥିଲେ। ତେବେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବାରୁ ସନ୍ଧ୍ୟା ୭ଟା ସୁଦ୍ଧା ସେମାନେ ଅନ୍ୟ ବୋଟ ମାଧ୍ୟମରେ କୂଳକୁ ଫେରିବେ ବୋଲି ସାମୁଦ୍ରକ ଥାନା ଆଇଆଇସି ତୁସିଲ ମାଝୀ ସୁଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *