ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା: ସ୍ବତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ବର: ମହାନଦୀରେ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା। ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ତେବେ ଜଳକାରେ ଏହା ସ୍ୱାଭାବିକ ସ୍ଥିତି। ଦକ୍ଷିଣ ଓଡ଼ିଶା ନଦୀରେ ସେମିତି ବନ୍ୟା ଆଶଙ୍କା ନାହିଁ ।

ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖିଲେ ମହାନଦୀ ଅବବାହିକା ମୁଣ୍ଡୁଳୀରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ମୁଣ୍ଡୁଳୀ ଅତିକ୍ରମ କରିବ। ଏବେ ଖଇରମାଳ ଠାରେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରୁ ଅଧିକ ପାଣି ଆସୁଛି। ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି। ଯାହାଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏବେ ହୀରାକୁଦର ୩୪ଟି ଗେଟ୍ ଖୋଲା ଅଛି, ଯେହେତୁ ଆଗକୁ ବର୍ଷା କମିବାର ସମ୍ଭାବନା ରହିଛି ତେଣୁ ଏବେ ଏହି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ।

ଆସନ୍ତାକାଲି ମୁଣ୍ଡଳୀଠାରେ ସର୍ବାଧିକ ଜଳ ପ୍ରବାହିତ ହେବ । ୨୦୧୯ରେ ବି ସମପରିମାରଣ ବନ୍ୟା ଜଳ ମୁଣ୍ଡୁଳୀ ଅତିକ୍ରମ କରିଥିଲା । କିନ୍ତୁ ଆଶ୍ୱସ୍ତିର କଥା ହେଉଛି ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ। ଯାହା ବ୍ରାହ୍ମଣୀ ଅବବାହିକାରେ ଥିବା ଅଞ୍ଚଳ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ମହାନଦୀର ଅବବାହିକାରେ ଥିବା କେନ୍ଦ୍ରାପଡ଼ା , ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ ଟିମ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯିବ। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଅଗ୍ନିଶମ ଟିମ୍ ଅଧିକ ଦିଆଯିବ। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର।

Leave a Reply

Your email address will not be published. Required fields are marked *