କାଣୀନଦୀରେ ୬୦ ଫୁଟ ଘାଇ: ଜନଜୀବନ ଅସ୍ତବ୍ୟସ୍ତ, ବ୍ୟାପକ ଫସଲ ନଷ୍ଟ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ଘେରରେ। ବୈତରଣୀ ନଦୀରେ ବନ୍ୟା ଆସିବା ପରେ ଶାଖା ନଦୀ କଣୀରେ ପୂର୍ବ ବର୍ଷ ହୋଇଥିବା ଘାଇ ମୁକୁଳା ରହିଥିବାରୁ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରହ୍ମଚାରୀପାଟଣା ଠାରେ ପ୍ରାୟ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି। ଏଣୁ ବହୁ ପନିପରିବା, ଧାନ ନଷ୍ଟ ହୋଇଯିବା ସମ୍ଭାବନା ରହିଛି, କୟାଁ, କମାରଡିହ, ଦତ୍ତପୁର, ଦୁଦୁରାଅଣ୍ଟା, ମଲ୍ଲିକାପୁର ପଂଚାୟତର ବ୍ୟାପକ ଜମିରେ ବନ୍ୟାଜଳ ମାଡିଯାଇଛି।

ସେହିପରି କାଣୀ ନଦୀ ମଲ୍ଲିକାପୁର-ପଲ୍ଲାସାହି ଆରଡି ରାସ୍ତା ଉପରେ ରହିଥିବା ପୋଲ ଉପରେ ୩ ଫୁଟର ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ବୈସପନ-ଦତ୍ତପୁର ଆରଆଣ୍ଡବି ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। କାଣୀ ନଦୀ କଣ୍ଟପଡା ଠାରେ ୭ଟି ସ୍ଥାନରେ ବନ୍ଧ ଧସିଯାଇଛି। କିଛି ତଳି ଅଂଚଳରେ ଥିବା ଘରେ ପାଣି ମାଡିଯାଇଛି। ମୁକାବିଲା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ  ସିଂ ରାଠୋର, ବିଡ଼ିଓ ସ୍ବାତା ସ୍ନିଗ୍ଧ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣାଟ କେଶରୀ ଦାସ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ବନ୍ୟା ଅଂଚଳ ପରିଦର୍ଶନ କରିବା ସହିତ ସ୍ଥାୟୀ ବନ୍ଧ ନିର୍ମାଣ ଖୁବ ଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *