ଅନୁଗୋଳ : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାନ୍ଧୀବାଦୀ ସଙ୍ଗଠନ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ପ୍ରତିଷ୍ଠିତ 89.6 FM ରେଡ଼ିଓ ସର୍ବୋଦୟ ଆଜି ଅନୁଗୁଳର ଐତିହାସିକ ବାଜିରାଉତ ଛାତ୍ରାବାସ ପରିସରରେ ଲୋକାର୍ପଣ କରାଯାଇଛି। ଏହାକୁ ଲୋକାର୍ପଣ କରି ଦେଶର ବିଶିଷ୍ଟ ଗାନ୍ଧୀବାଦୀ ତଥା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ କହିଲେ ଯେ, ସର୍ବୋଦୟ ଆନ୍ଦୋଳନର ଇତିହାସରେ, ଦେଶ ତଥା ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଐତିହାସିକ ବାଜିରାଉତ ଛାତ୍ରାବାସ ପରିସରରେ ସର୍ବୋଦୟ ରେଡିଓର ଶୁଭାରମ୍ଭ ଅତ୍ୟନ୍ତ ଆନନ୍ଦର ବିଷୟ। କାରଣ ଆଜାଦ ରେଡିଓ ୧୯୪୨ ମସିହାରେ ଉଷା ମେହେଟ୍ଟାଙ୍କ ଦାୟିତ୍ୱରେ ଆରମ୍ଭ ହୋଇଥିଲା ଯାହାର ପ୍ରତିଷ୍ଠା ଡ଼. ରାମ ମନୋହର ଲୋହିଆ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣ କରିଥିଲେ। ଯାହାର ଫଳସ୍ୱରୂପ ଦେଶବାସୀଙ୍କ ନିକଟରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇବା ପାଇଁ ଆଜାଦ ରେଡିଓ ପ୍ରସାରଣ ବ୍ୟବହୃତ ହେଉଥିଲା। ଶ୍ରୀ ରାହୀ ପୁଣି କହିଲେ ଯେ, ଯେତେବେଳେ ୧୯୪୮ ମସିହାରେ ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଥିଲା, ସେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ ଏବଂ ସେତେବେଳେ ସୂଚନାର ଏକମାତ୍ର ମାଧ୍ୟମ ଥିଲା ରେଡିଓ। ସେ ଓ ତାଙ୍କର ସମଗ୍ର ଗ୍ରାମବାସୀ ରେଡିଓରେ ଗାନ୍ଧୀଜୀଙ୍କ ଅନ୍ତିମ ସଂସ୍କାରର ସିଧା ପ୍ରସାରଣ ଶୁଣିଥିଲେ।

ଆଜି ଯେତେବେଳେ ଲୋକଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଭିନ୍ନ ପ୍ରୟାସ ଚାଲିଛି ସେତେବେଳେ ଏହି ନୂଆ ରେଡ଼ିଓ ଲୋକଙ୍କର ସ୍ୱର ହେବ ବୋଲି ସେ କହିଥିଲେ।
ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୋଷ୍ଠୀ ବେତାର କେନ୍ଦ୍ର ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ.ଏ ସାହା ଅନସାରୀ ଯୋଗଦେଇ ବିଗତ ଦିନରେ ଓଡ଼ିଶାରେ ଡାଲି ଦୁର୍ନୀତି ର ପ୍ରଦାଫାଶ ମାଧ୍ୟମରେ ହୋଇଥିବା କହି ରେଡ଼ିଓ ସର୍ବୋଦୟ ଅନୁଗୁଳବାସୀଙ୍କ ରକ୍ଷା କବଚ ପାଳୟିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ରେଡ଼ିଓ ସର୍ବୋଦୟର ଶୁଭାରମ୍ଭ କରି କହିଲେ ଯେ, ଅନୁଗୁଳରେ ଆର୍ଥିକ ସମତା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁ ବୋଲି ମତ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ରଙ୍ଗବତୀ ସଙ୍ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଏସ. ଏ. ସଫିକ, ସୁବ୍ରତ ପତି, ଶିଶିର ଶତପଥୀ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।
ଉଦଘାଟନୀ ଉତ୍ସବରେ ରେଡ଼ିଓ ସର୍ବୋଦୟର ନିର୍ଦ୍ଦେଶକ ଡଃ ବିଶ୍ଵଜିତ୍ ସଞ୍ଚାଳନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ଵିତୀୟ ଅଧିବେଶନରେ ସମାଜର ପ୍ରାକ୍ତନ ସମ୍ପାଦକ ତଥା ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ଼. ସତ୍ୟ ରାୟ ସଭାପତିତ୍ୱ କରିଥିବା ବେଳେ ଓଟିଭିର ନିର୍ଦ୍ଦେଶକ
ତଥା ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି, ଛାତ୍ରାବାସ ସଭାପତି ଶୈଳଜ ରବି, ପ୍ରଫେସର ନନ୍ଦ କିଶୋର ମହାକୁଡ଼, ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ମାନସ ପଟ୍ଟନାୟକ ରେଡ଼ିଓ ସଞ୍ଚାଳନା କରିଥିବା ବେଳେ ସୁଜାତା ପ୍ରୀତିନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଇଂ ଧନେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ବରାଳ ଆଦ୍ୟଶ୍ଳୋକ ମିଶ୍ର, କିଶୋର ଶତପଥି, ଛୋଟରାୟ ମାଝୀ ପ୍ରମୁଖ ସଞ୍ଚାଳନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଲୋକାର୍ପଣ ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରରେ ରାଜ୍ୟ ତଥା ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।