ଭୁବନେଶ୍ଵର : ହୁତ୍ ହୁତ୍ ହୋଇ ଜଳୁଛି ସାତକୋଶିଆ । ଜୈବ ବିବିଧତା ଭରା ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି ସୁଦ୍ଧା ସାତକୋଶିଆର ୧୨୪ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ସାଟେଲାଇଟ୍ ତଥ୍ୟ ଦେଇଥିବା ବେଳେ ଏହି ନିଆଁ ବ୍ୟାପୀ ୯୨ଟି ଜଙ୍ଗଲ ଅଞ୍ଚଳ ଜଳୁଥିବା ଜଣାପଡିଛି ।ବିଶେଷ ପ୍ରଭାବିତ ହୋଇଛି, ଅଭୟାରଣ୍ୟର ମହାନଦୀ ଡିଭିଜନ ଅନ୍ତର୍ଗତ ମହାନଦୀ ଏବଂ ବାଇଶିପାଲୀ ସଂରକ୍ଷିତ ଜଙ୍ଗଲ। ସାଟେଲାଇଟ୍ ତଥ୍ୟ ମୁତାବକ, ସାତକୋଶିଆ ଅଭୟାରଣ୍ୟର ଦୁଇଟା ଯାକ ଡିଭିଜନରେ ମାର୍ଚ୍ଚ ପହିଲାରୁ ନିଆଁ ଲାଗିଲାଣି। ସାତକୋଶିଆ ଡିଭିଜନ ଅପେକ୍ଷା ମହାନଦୀ ଡିଭିଜନରେ ଦୁଇ ଗୁଣରୁ ଅଧିକ ବନାଗ୍ନିକୁ ସାଟେଲାଇଟ୍ ଠାବ କରିଥିଲା। ମାର୍ଚ୍ଚ ୧ତାରିଖରୁ ୬ତାରିଖ ମଧ୍ୟରେ ମହାନଦୀ ଡିଭିଜନରେ ୮୮ଟି ଜଙ୍ଗଲ ଅଞ୍ଚଳ ଜଳୁଛି ବୋଲି ସାଟେଲାଇଟ୍ ଧରିଥିଲା

। ଆଜି ଗୋଟିଏ ଦିନରେ ମହାନଦୀ ଡିଭିଜନର ୭୮ଟି ଅଞ୍ଚଳରେ ନିଆଁ ଲାଗିଥିବା ସାଟେଲାଇଟ୍ ଜାଣିବାକୁ ପାଇଛି। ସବୁଠାରୁ ବେଶି ଜଳୁଛି ମହାନଦୀ ଏବଂ ବାଇଶିପାଲୀ ଜଙ୍ଗଲ। ତଥ୍ୟ ମୁତାବକ, ବିରାଟକାୟ ମହାନଦୀ ଜଙ୍ଗଲର ୩୨ଟି ଜାଗାରେ ନିଆଁ ଲାଗିଥିବା ବେଳେ ବାଇଶିପାଲୀ ଜଙ୍ଗଲରେ ୪୩ଟି ଜାଗାରେ ନିଆଁ ଠାବ ହୋଇଛି। ସେହିପରି ବୌଦ୍ଧ-ନୟାଗଡ଼ ସଂରକ୍ଷିତ ଜଙ୍ଗଲ, ହାତୀଧରା ଏବଂ ପଦ୍ମଲତା ସଂରକ୍ଷିତ ଜଙ୍ଗଲ ବି ଜଳୁଛି ବୋଲି ସାଟେଲାଇଟ୍ ଦର୍ଶାଇଛି।
