ଅନୁଗୋଳ ବନଖଣ୍ଡରେ ହାତୀ ଉପଦ୍ରବ: ବନ କର୍ମଚାରୀ ୧୨ ଘଣ୍ଟା ଅଟକ  

ହାତୀ ପାଇଁ ଦୀର୍ଘ ୧୨ଘଣ୍ଟାରୁ ଅଧିକ ଅଟକ ରହିଲେ ହାତୀ ଘଉଡାଇବାକୁ ଆସିଥିବା ବନ ବିଭାଗର କର୍ମଚାରୀ। ଶେଷରେ ସହକାରୀ ବନ ସଂରକ୍ଷକ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଥିଲା ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡପୁର ଗାଁରେ। ୫୦ରୁ ଅଧିକ ହାତୀ ସେ ଅଞ୍ଚଳରେ ରହି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଭୟଭୀତ କରାଉ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି।

ଅନୁଗୋଳ ଜିଲ୍ଲାର ରଙ୍କସିଂହା, ତଳମୂଳ, ତଳମୂଳ ଶାସନ, ଫୁଲପଡା, ବଲାସିଂହା ପଞ୍ଚାୟତରେ ଗତ କିଛି ଦିନ ହେଲା ୪/୫ଟି ହାତୀପଲ ଆସି ବ୍ୟାପକ ଧାନ ଫସଲ କ୍ଷତି କରୁଛନ୍ତି। ଗୋଟିଏ ଗୋଟିଏ ପଲରେ ୧୦ ରୁ ୩୦ଟି ପର୍ଯ୍ୟନ୍ତ ହାତୀ ରହିଛନ୍ତି। ସେମାନେ ଦିନ  ବେଳେ ମଧ୍ୟ ଧାନ ବିଲରେ ପଶି ଦଳି ଚକଟି ଦେବା ସହ ଖାଇ ନଷ୍ଟ କରୁଛନ୍ତି। ବର୍ତମାନ ଅଧିକାଂଶ ବିଲରେ ଧାନ କେଣ୍ଡା ଦେଖିବାକୁ ମିଳୁଛି। ତେଣୁ ଖାଇବା ପାଇଁ ହାତୀ ପଲ ସେ ଅଞ୍ଚଳ ଛାଡି ଯାଉ ନାହାଁନ୍ତି। ଶହ ଶହ ଏକର ଜମିରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ସବୁ ଅଞ୍ଚଳ ଗୁଡିକ ବନ୍ତଳା ବନାଞ୍ଚଳ, ଅନୁଗୁଳ ବନାଞ୍ଚଳ ଓ ତାଳଚେର ବନାଞ୍ଚଳ ଅଧୀନରେ ରହିଛି। ତେଣୁ ଯେଉଁ ବନାଞ୍ଚଳର ଗାଁରେ ହାତୀ ରହୁଛନ୍ତି ସେହି ବନାଞ୍ଚଳର କର୍ମଚାରୀ ମାନେ ବାଣ ଫୁଟାଇ ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ୩ଟି ଯାକ ବନାଞ୍ଚଳର କର୍ମଚାରୀମାନେ ଏଭଳି କରୁଥିବାରୁ ହାତୀପଲ କୁଆଡେ ଯିବେ ବାଟ ପାଉ ନାହାଁନ୍ତି। ଫଳରେ ଗୋଟିଏ ଅଞ୍ଚଳରେ ରହି ବ୍ୟାପକ ନଷ୍ଟ କରୁଛନ୍ତି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିବାସହ ବନ ବିଭାଗ ଉପରେ ରାଗ ଶୁଝାଇଛନ୍ତି। ଗତ କାଲି ପଣ୍ଡପୁର ଗାଁକୁ ହାତୀପଲ ପଶି ଆସିଥିଲେ। ସେମାନଙ୍କୁ ଘଉଡାଇବା ପାଇଁ ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ବନ କର୍ମଚାରୀ ଆସିଥିଲେ। କିନ୍ତୁ ଗ୍ରାମବାସୀ ସେମାନଙ୍କୁ ଗାଡି ସହ ଅଟକ ରଖିଥିଲେ।

ଖବର ପାଇ ଆଜି ସକାଳେ ଅନୁଗୁଳ ସହକାରୀ ବନ ସଂରକ୍ଷକ ଓ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଂଚି ଥିଲେ। ଲୋକଙ୍କ ସହ ଆଲୋଚନା କରିଥିଲେ। କିଛି ସମୟ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀ ମାନଙ୍କ ସହ ବାକ ବିନିମୟ ହୋଇଥିଲା। ସେଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତମାନ ଧାନ କେଣ୍ଡା ବାହାରିଥିବା ବେଳେ ବନ ବିଭାଗ କାହିଁକି ହାତୀପଲକୁ ଜଙ୍ଗଲ ଭିତରୁ କିଭଳି ବାହାରକୁ ନବହାରିବେ ସେ ବ୍ୟବସ୍ଥା କରୁନାହିଁ ବୋଲି ଲୋକେ ପ୍ରଶ୍ନ କରିଥିଲେ। ବନ ବିଭାଗ ହାତୀପଲ ଜଗି ନପାରିଲେ ଏଠାକୁ ଆସିବା ଦରକାର ନାହିଁ। ଏବଂ ଯେଉଁ କର୍ମଚାରୀ ଏଠାକୁ ଆସିବେ ଆମେ ଅଟକ ରଖିବୁ ବୋଲି ଚେତାବନୀ ଦେଇଥିଲେ। ହାତୀପଲକୁ ଗୋଟିଏ ନିର୍ଦିଷ୍ଟ ଦିଗରୁ ଘଉଡାଇଲେ ସେମାନେ ଜଙ୍ଗଲକୁ ଯିବେ। କିନ୍ତୁ ୩ଟି ଯାକ ବନାଞ୍ଚଳର କର୍ମଚାରୀ ୩ପଟୁ ବାଣ ଫୁଟାଇ ଘଉଡାଇବାକୁ ଉଦ୍ୟମ କରୁଛନ୍ତି। ଫଳରେ ହାତୀପଲ ଏଠାରେ ରହି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ତେଣୁ ଆଗାମୀ ଦିନରେ ହାତୀପଲ ପଶି କ୍ଷତି କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଲୋକେ ଧମକ ଦେଇଥିଲେ। ଦୀର୍ଘ ସମୟ ଏଭଳି ଉତେଜନା ମୂଳକ ପରିସ୍ଥିତି ଲାଗି ରହିଥିଲା। ପରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦିଆଯିବ ଏବଂ ଅଧିକ ବନ କର୍ମଚାରୀ ନିୟୋଜିତ କରି ହାତୀ ଘଉଡ଼ାଯିବ ବୋଲି ସହକାରୀ ବନ ସଂରକ୍ଷକ ପ୍ରତିଶୃତି ଦେବାପରେ ଲୋକେ ଅଟକ ରଖିଥିବା ଗାଡି ଓ କର୍ମଚାରୀଙ୍କୁ ଛାଡିଥିଲେ।

ଏ ଅଞ୍ଚଳରେ କିଛି ଦିନ ହେଲା ଯେଉଁଭଳି ଭାବେ ହାତୀ ଓ ମଣିଷ ମଧ୍ୟରେ ଚକପଞ୍ଝା ଚାଲିଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ହାତୀ ମାନଙ୍କ ଜୀବନ ପ୍ରତି ବହୁତ ବିପଦ ରହିଛି। କାରଣ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଉଥିବାରୁ କେଉଁ ସମୟରେ କଣ ହେବ ତାହା କହିବା ସମ୍ଭବ ନୁହେଁ। ଏବେଠାରୁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରି ହାତୀ ମାନଙ୍କୁ ସୁରକ୍ଷା ଦେବାସହ ଲୋକଙ୍କର କ୍ଷୟକ୍ଷତି ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *