ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ,ଦିଲ୍ଲୀ ସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ଦେହାନ୍ତପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼ ଦେବେନ୍ଦ୍ର ପ୍ରଧାନ ପରଲୋକ। ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବାପା ହେଉଛନ୍ତି ଦେବେନ୍ଦ୍ର। ରାଜ୍ୟ ବିଜେପି ର ପ୍ରତିଷ୍ଠାତା ଥିଲେ ଦେବେନ୍ଦ୍ର ପ୍ରଧାନ। ଦିଲ୍ଲୀ ସ୍ଥିତ କେନ୍ଦ୍ର ମନ୍ତ୍ରୀ ଙ୍କ ବାସ ଭବନ ରେ ଦେହାନ୍ତ ହୋଇଥିବା ସୂଚନା । 16 ଜୁଲାଇ 1941 ତାଙ୍କ ଜନ୍ମ। ମୃତ୍ୟୁ ବେଳେକୁ ପୁଅ ଧର୍ମେନ୍ଦ୍ର ଓ ବୋହୁ ମୃଦଳା ଓ ଧର୍ମପତ୍ନୀ ବସନ୍ତ ମଞ୍ଜରୀ ଥିଲେ ଉପସ୍ଥିତ। ୧୩ ଲୋକସଭା ଦେବଗଡ଼ ଆସନରୁ ଜିତି କେନ୍ଦ୍ର ରେ ସଡକ ପରିବହନ ରାଷ୍ଟ୍ର ମନ୍ତ୍ରୀ ଥିଲେ ଡ଼ ପ୍ରଧାନ। ଅନୁଗୋଳ ଜିଲା କଣିହାଁ ବ୍ଲକ ନାଲମ ଗାଁ ରେ ହୋଇଥିଲା ତାଙ୍କ ଜନ୍ମ ।1998 – 2004 ଦେବଗଡ଼ ସାଂସଦ ଥିଲେ।

ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ତତ୍କାଳୀନ ସାମାଜିକ ଓ ରାଜନୈତିକ ଜୀବନରେ ଜଣେ ପରିଚିତ ଚେହେରା । କଟକ ଏସସିବି ମେଡିକାଲରେ ଜଣେ ଡାକ୍ତର ଭାବେ ରୋଗୀ ସେବା କରିବା ପରେ ସେ ତୃଣମୂଳ ସ୍ତରରେ ଜନସେବା କରିବା ପାଇଁ ରାଜନୈତିକ ଜଗତରେ ପାଦ ଥାପିଥିଲେ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କାଳରୁ ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ଓଡ଼ିଶାରେ ବିଜେପି ପାର୍ଟି କୁ କେହି ଜାଣିନଥିଲେ, ସେ ସମୟରେ ଏହି ପାର୍ଟି କୁ ଗାଁ, ସହର ଓ ଜିଲ୍ଲା ବୁଲି ପରିଚିତ କରାଇଥିଲେ । ମଣ୍ଡଳ ସଭାପତି ରୁ ଓଡ଼ିଶା ରାଜ୍ୟ ବିଜେପି ସଭାପତି ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇ ଦଳକୁ ଲୋକଲୋଚନକୁ ଆଣିବା ସହ ଏକାତ୍ମ ମାନବବାଦ ବିଜେପି ବିଚାରଧାରାକୁ ଘରେ ଘରେ ପହଞ୍ଚାଇଥିଲେ ।

୧୯୯୮ ମସିହାରେ ଦେବଗଡ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଦୁଇ ଦୁଇ ଥର ତଥା ଥରେ ସଡକ ପରିବହନ ଏବଂ କୃଷି ମନ୍ତ୍ରଣାଳୟରେ ମନ୍ତ୍ରୀ ଭାବରେ ସୁଚାରୁରୂପେ ଦାୟିତ୍ୱ ତୁଲାଇ ନିଜର କାର୍ଯ୍ୟନିଷ୍ଠାର ପରିଚୟ ଦେଇଥିଲେ । ବାଜପେୟୀଙ୍କ ସରକାର ସମୟରେ ସ୍ଵର୍ଣ ଚତୃଭୂଜ ଯୋଜନା ,ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଓଡ଼ିଶାରେ ହୋଇଥିବା ନିର୍ମାଣ କାମରେ ତାଙ୍କର ଦୂରଦୃଷ୍ଟି ଏବଂ ଅବଦାନ ଅତୁଳନୀୟ ଥିଲା । କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବଳ ପ୍ରେରଣାର ସ୍ରୋତ ନୁହଁନ୍ତି, ଜଣେ ସଫଳ ମାର୍ଗଦର୍ଶକ ମଧ୍ୟ ଥିଲେ ।