ବଅଁରପାଳରେ ୨ କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ

ଅନୁଗୋଳ :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ବଅଁରପାଳ ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ଗୁରୁତ୍ୱ ଦେବା ସହ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ସହଯୋଗୀ ହେବାକୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ଗୋତମରା ପୋଖରୀର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ସେହିପରି ସ୍ଥାନୀୟ ପିଏସଏସଜେ ଜୁନିୟର ମହାବିଦ୍ୟାଳୟ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ରେ ଯୋଗଦେବା ସହ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି କଲେଜର ଲ୍ୟାବ୍ ଓ ଖେଳପଡ଼ିଆ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ ।

ଜିଲ୍ଲା ପ୍ରଶାସନ ସହଯୋଗରେ ଟଟା ଷ୍ଟିଲ୍ ଫାଉଣ୍ଡେସନର ଏହି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଓ ତାଳଚେରର ମୁଖଶାଳା ହେଉଛି ବଅଁରପାଳ । ବଅଁରପାଳ ବ୍ଲକର ଗୋତମରା ଗାଁ ଏକ ଐତିହାସିକ ଗ୍ରାମ । ଏହି ଗ୍ରାମରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହ ଜନ୍ମଗ୍ରହଣ କରିଥିଲେ । ଆଜି ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ଏକ ନୂଆ ପରିଚୟ ଦେବ । ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଆମେ ବଦ୍ଧପରିକର । ଗୋତମରା ପୋଖରୀ ନିକଟରେ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ ।

ସେହିପରି ପିଏସଏସଜେ କଲେଜରେ ଶିଳାନ୍ୟାସ ହୋଇଥିବା ପରୀକ୍ଷାଗାର ଓ ଖେଳ ପଡ଼ିଆ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବଅଁରପାଳରେ ଖେଳର ପରମ୍ପରା ରହିଛି । ଧୀରେ ଧୀରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବଢୁଛି । ଏହି ଅଞ୍ଚଳରେ ଆଗାମୀ ଦିନରେ ଖେଳର ବିକାଶ ହେବ । ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଗୋଳ ଜିଲ୍ଲାକୁ ଏକ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିର ଓ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ଜିଲ୍ଲାପାଳ ଅବଦୁଲ ଏମ ଅଖତାର ଏସପି ରାହୁଲ ଜେନ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *