ଆଜି ଗଣେଶ ଚତୁର୍ଥୀ : ଗଜାନନଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ବର : ଆଜି ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପ୍ରତି ସ୍ଥାନରେ ପୂଜା କରାଯାଉଛି । ଏଥିପାଇଁ ଦେଶର ପୁରପଲ୍ଲୀରେ ସବୁଠାରେ ପୂଜା ପାଇଁ ସମସ୍ତେ ଚଳଚଞ୍ଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନରେ ପୂଜା ହୋଇଯାଇଛି। ଏହାସହ ଓଡ଼ିଶାର ଅନେକ ସ୍ଥାନରେ ସାର୍ବଜନୀନ ଗଣେଶ ପୂଜାର ଆୟୋଜନ କରାଯାଉଛି।

ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ କୋଳ ମଣ୍ଡିତ କରିଥିବା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଶାରୀରିକ ଆକୃତିରେ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ତାଙ୍କ ଶୁଣ୍ଢ। ବିଦ୍ୟାଦାତା, ଜ୍ଞାନଦାତା, ଐଶ୍ୱର୍ଯ୍ୟଦାତା ଏବଂ ସୁସ୍ଥ ଶରୀର ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ଶିବପୁରାଣ ଅନୁଯାୟୀ,ଗଣେଶଙ୍କ ଶରୀରର ବର୍ଣ୍ଣ ନାଲି ଏବଂ ସବୁଜ ରଙ୍ଗର ହୋଇଥାଏ । ବ୍ରହ୍ମ ବୈବର୍ତ୍ତ ପୁରାଣନୁଯାୟୀ, ମାତା ପାର୍ବତୀ ପୁତ୍ରଲାଭ କରିବା ପାଇଁ ପୁଣ୍ୟକ ବ୍ରତ ନାମକ ଏକବ୍ରତ ରଖି ଥିଲେ ଏବଂ ଏହିବ୍ରତ ସମ୍ପନ୍ନ ହେବାପରେ ଗଣେଶ ଜନ୍ମଲାଭ କରିଥିଲେ ।ପୌରାଣିକ କଥାନୁସାରେ ଯେତେବେଳେ ଦେବତାଗଣ ଶ୍ରୀ ଗଣେଶଙ୍କୁ ଆଶିର୍ବାଦ ଦେଉଥିଲେ ସେତେବେଳେ ଶନିଦେବ ମୁଣ୍ଡ ତଳକୁ ପୋତି ଠିଆ ହୋଇଥିଲେ। ଏତାଦୃଶ୍ୟ ଦେଖି ମାତା ପାର୍ବତୀ ଶନିଦେବଙ୍କୁ ଏହାର କାରଣ ପଚାରିଥିଲେ ଉତ୍ତରରେ ସେ କହିଥିଲେ,ମୁଁ ଯଦି ଶ୍ରୀଗଣେଶଙ୍କୁ ଚାହିଁ ରହିବି ତାହେଲେ ତାଙ୍କ ମୁଣ୍ଡରୁ ଶରୀର ପୁଣି ଥରେ ଅଲଗା ହୋଇଯିବ । ତେବେ ଶ୍ରୀଗଣାପତିଙ୍କ ବିଭିନ୍ନ ଭଙ୍ଗିର ମୂର୍ତ୍ତୀ ର କିଛି ଅଲଗା ଅଲଗା ବିଶ୍ୱଷତ୍ୱ ରହିଛି।

ପୌରାଣିକ ମତ ଆଧାରରେ ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ଵାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟିଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ।ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଶ୍ରୀଗଣେଶ ବ୍ୟାସୋକ୍ତ ମହା -ଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ଵତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦନ, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ଅଟନ୍ତି।

Leave a Reply

Your email address will not be published. Required fields are marked *