ରାୟଗଡା ପୁଲିସକୁ ବଡ ସଫଳତା; କୋଟିଏ ଟଙ୍କାର ଗଞ୍ଜେଇ ସହ ୩ ଗିରଫ ।

ରାୟଗଡ଼ା: ମୁନିଗୁଡ଼ା ପରେ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଚନ୍ଦ୍ରପୁର ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ବିଷମକଟକ ଏସଡିପିଓଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଥାନା ଇଲାକାର ରବିଗୁଡ଼ା ଛକରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ଚୋରା ଚାଲାଣରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ରାଣୀଗୁଡା ଗ୍ରାମର ରାମାନ୍ତ ଝିଣ୍ଡ୍ରିଗୁଡ଼ିକା, ରବିଗୁଡ଼ାର ପରଜା ଶ୍ରମୁତିକା, ଧୁଶାପଙ୍ଗାର ଇଶା ଦୁବ୍ରୁକାଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଛି। ଏତେ ପରିମାଣର ଜବତ ଗଞ୍ଜେଇ କେଉଁଠୁ କେଉଁଠିକୁ ଯାଉଥିଲା, ଏହାର ମାଷ୍ଟର ମାଇଣ୍ଡ କିଏ? ତାକୁ ନେଇ ପୁଲିସ୍ ଅଧିକ ଖୋଳତାଡ଼ ଜାରି ରଖିଛି।

ଚନ୍ଦ୍ରପୁର ଥାନା ଅଞ୍ଚଳର ରବିଗୁଡ଼ା ଛକରେ ଆନ୍ଧ୍ର ଓ ଛତିଶଗଡ଼କୁ ଚାଲାଣ ପାଇଁ ମାଫିଆମାନେ ୫୯ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ରଖିଥିଲେ। କୌଣସି ସୂତ୍ରରୁ ଚନ୍ଦ୍ରପୁର ପୁଲିସକୁ ସୂଚନା ମିଳିବା ପରେ ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଚଢ଼ଉ ଆରମ୍ଭ କରିଥିଲା। ପୁଲିସ୍ ଟିମ୍ ପ୍ରଥମେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ମାଫିଆଙ୍କୁ କାବୁ କରିବା ପରେ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ଠାବ କରିଥିଲେ। ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ପୁଲିସ୍ ଜବତ ଗଞ୍ଜେଇ ଓଜନ କରିବା ପରେ ୫୯ଟି ବସ୍ତାରେ ୧୧୮୦ କେଜି ଗଞ୍ଜେଇ ଥିବା ଜଣା ପଡିଥିଲା। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଧ୍ବ ହେବ ବୋଲି ପୁଲିସ୍ କହିଛି। ତେବେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ପୁଲିସ ଜାଲରୁ ଖସି ଯିବାରେ ସକ୍ଷମ ହୋଇଛି। ମାଷ୍ଟର ମାଇଣ୍ଡ ମାଫିଆ ସ୍ଥାନୀୟ ଲୋକଙ୍କୁ ଢ଼ାଲ କରି ଗାଡିରେ ଗଞ୍ଜେଇ ଲୋଡ୍ କରିବା ପାଇଁ କହିଥିଲା। ତେବେ ଗାଡ଼ି ପହଞ୍ଚିବା ପୂର୍ବରୁ ହିଁ ପୁଲିସ୍ ପହଞ୍ଚି ଯିବାରୁ ମାଫିଆଙ୍କ ସବୁ ଯୋଜନା ଫସର ଫାଟି ଯାଇଥିଲା। ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *