ସ୍ଵର ବ୍ୟୁରୋ: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼। ନବ ଦାସଙ୍କ ଦେହରେ ବାଜିଛି ଗୁଳି। ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଗୁଳିମାଡ କରିଛନ୍ତି ପୋଲିସ କର୍ମଚାରୀ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି।
ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ସେ ଜଣେ ଏଏସଆଇ ଭାବେ କାର୍ଯ୍ୟରତ। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ। ସେପଟେ ନବଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ତାଙ୍କୁ ଭୁବନେଶ୍ବର ଆପଲୋ ହସ୍ପିଟାଲକୁ ଏୟାରଲିପଟିଙ୍ଗ କରାଯାଇଛି । ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି।
ଅନ୍ୟପଟେ ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେବାସହ ହସ୍ପିଟାଲ ପହଞ୍ଚି ନବଙ୍କ ଚିକିତ୍ସା ତଦାରଖ କରିଛନ୍ତି । ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।