ଅସହ୍ୟ ତାତି,ଗ୍ରୀଷ୍ମପ୍ରବାହ ପାଇଁ ୬ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟ ମଧ୍ୟକୁ ସଂପ୍ରତି ପ୍ରବାହିତ ହେଉଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ପାଣିପାଗର ଏପ୍ରକାର ସ୍ଥିତି ଆଗାମୀ ୨ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ପଶ୍ଚିମ ଓଡ଼ିଶାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ ବୋଲି ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୦ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଳାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବାର ସମ୍ଭାବନା ରହିଥିବା ନେଇ ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ପ୍ରଭୃତି ୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିବା ସହ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପଦାକୁ ଖରାରେ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ତେବେ, ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ମାଲକାନାଗିରି, କୋରାପୁଟ, ରାୟଗଡ଼ା, କାନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଓଡିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *