୧୧ରୁ ୧୩ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ,ମତ୍ସ୍ୟଜୀବୀଙ୍କ ସମୁଦ୍ର ମନା।

ଭୁବନେଶ୍ବର : ବଙ୍ଗୋପସାଗରରେ ଆସନ୍ତା ୭ ଦିନରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ। ୧୧ତାରିଖ ଦିନ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟାରେ ତାହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ପ୍ରଭାବରେ ୧୧ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ୧୨ ଓ ୧୩ ତାରିଖରେ ବର୍ଷାର ବିସ୍ତୃତି ଓ ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ଲଘୁଚାପ ପ୍ରଭାବରେ ୧୧ ତାରିଖ ଦିନ ଖୋର୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଗଜପତି, ନୟାଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୩ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ଓଡ଼ିଶା ଉପକୂଳସ୍ଥିତ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଅଧିକ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ତାହା ଚଳିତ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ ହେବ। ଏହା ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *