ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବିଶ୍ୱକପ ହକି ଟ୍ରଫିକୁ ବିପୁଳ ସ୍ୱାଗତ। ଆଜି ଅପରାହ୍ନରେ ଟ୍ରଫି ଦେବଗଡ଼ ଅନୁଗୁଳ ଜିଲ୍ଲାର ସୀମାନ୍ତ ଛେଣ୍ଡିପଦା ଠାରେ ପହଂଚିବା ପରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ତତ୍ୱବାଧାନରେ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ସେଠାରୁ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଠାରେ ଟ୍ରଫି ପହଞ୍ଚି ଥିଲା। ଶୈଳ ଶ୍ରୀକ୍ଷେତ୍ର ଠାରୁ ବିରାଟ ପଟୁଆରରେ ଟ୍ରଫି ସହର ପରିକ୍ରମା କରି କଦମ ପଡ଼ିଆରେ ପହଞ୍ଚିଥିଲା। ବାଜା, ନୃତ୍ୟ ସଙ୍ଗୀତ, ଦଣ୍ଡ ନୃତ୍ୟ, ସଂକୀର୍ତ୍ତନ ଓ ମୃଦଙ୍ଗ ବାଜା ବଜାଇ ଟ୍ରଫିକୁ ସହର ପରିକ୍ରମା କରା ଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଅନୁଷ୍ଠାନର କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।




ଢେଙ୍କାନାଳ ଏମପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମୀନା ଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ। ହଜାର ହଜାର ସଂଖ୍ୟାରେ ଦର୍ଶକ ଟ୍ରଫି ଦେଖିବାକୁ ଭିଡ଼ ଜମାଇ ଥିଲେ। ଏହାପରେ ଟ୍ରଫି ବଅଁରପାଳ ଦେଇ ଢେଙ୍କାନାଳ ଜିଲ୍ଲାକୁ ଯାଇଥିଲା।