ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।

ଦୁବାଇରେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ରହିଛି । ବିଶ୍ୱକପର ଗ୍ରୁପ୍-୨ରେ ଅଛନ୍ତି ଉଭୟ ଟିମ୍ । ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି । ଦୁବାଇରେ ଅକ୍ଟୋବର ୩୧ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଓ ନଭେମ୍ବର ୪ ତାରିଖରେ ଆବୁଧାବିରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ପରେ ଦୁବାଇରେ ନଭେମ୍ବର ୫ ଓ ୮ ତାରିଖରେ ଆଉ ଦୁଇଟି ମ୍ୟାଚ୍ ରହିଛି ।
ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ । ସେହିପରି ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ଅଛନ୍ତି ।ଚଳିତଥର ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହେବାକୁ ସ୍ଥିର ହୋଇଥିଲା । ତେବେ କୋଭିଡ କାରଣରୁ ଏହାକୁ ଓମାନ ଓ ୟୁଏଇରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ୟୁଏଇରେ ହେବ । ୧୪ ନଭେମ୍ବରରେ ଦୁବାଇରେ ଫାଇନାଲ ଖେଳାଯିବ । ତେବେ ଉଭୟ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଗୋଟିଏ ଦିନର ରିଜର୍ଭ ଡେ ରଖାଯାଇଛି ।