ହାଇଦ୍ରାବାଦ୍: ୫ ମାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍ ଦମଦାର ଆରମ୍ଭ କରିଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ଠାରୁ ଦଳ ୧୨୭ ରନ୍ ପଛରେ ରହିଛି।ଯଶସ୍ବୀ ଜୟସ୍ବାଲ ୭୦ଟି ବଲ୍ ଖେଳି ୯ଟି ଚୌକା ଓ ୩ଟି ଛକା ସହାୟତାରେ ୭୬ ରନ୍ ସଂଗ୍ରହ କରିଛନ୍ତି। ସେହିପରି ଶୁବମନ ଗିଲ ୧୪ ରନ୍ ସଂଗ୍ରହ କରି ଜୟସ୍ବାଲଙ୍କ ସହିତ କ୍ରିଜ୍ରେ ଅଛନ୍ତି। ଗିଲ ୪୩ଟି ବଲ୍ ଖେଳି ଗୋଟିଏ ଚୌକାମାରିଛନ୍ତି। ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ୨୪ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସେ ୨୭ଟି ବଲ୍ ଖେଳି ୩ଟି ଚୌକା ମାରିଥିଲେ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ସ୍ପିନ୍ ଆଟାକ୍ ଇଂଲଣ୍ଡର ବ୍ୟାଟିଂ ଆକ୍ରମଣକୁ ବିଫଳ କରିଦେଇଥିଲା । ତେବେ ଅଧିନାୟକ ବେନ୍ ଷ୍ଟୋକ୍ସ ଏକାକୀ ବୋଲରଙ୍କ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ। ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲଙ୍କ ତ୍ରିକୋଣୀୟ ଦଳ ଇଂଲଣ୍ଡର ପ୍ରଥମ ଇନିଂସକୁ ମାତ୍ର ୨୪୬ ରନରେ ଅଲଆଉଟ୍ କରିଦେଇଥିଲେ। ଅଶ୍ବିନ ଓ ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ହାଇଦ୍ରାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତର ମୁଖ୍ୟ କୋଚ୍ ସ୍ପଷ୍ଟ କରିଦେଇଥିଲେ ଯେ ପିଚ୍ ସ୍ପିନରଙ୍କ ପାଇଁ ସହାୟକ ହେବ। ପ୍ରଥମ ଦିନର ଖେଳରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା ଯେତେବେଳେ ଇଂଲଣ୍ଡ ଦଳ ମାତ୍ର ୧୨୫ ରନ୍ ରେ ନିଜର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଦ୍ରୁତ ବୋଲରଙ୍କ ବିପକ୍ଷରେ ଇଂଲଣ୍ଡର ଆରମ୍ଭ ଭଲ ଥିଲା କିନ୍ତୁ ଖୁବ୍ ଶୀଘ୍ର ଭାରତୀୟ ଅଧିନାୟକ ସ୍ପିନରଙ୍କୁ ଆକ୍ରମଣ କରିଥିଲେ।