ଚୌଦ୍ବାରରେ ଟେକ୍ସଟାଇଲ୍ କଂପ୍ଲେକ୍ସର ଶିଳାନ୍ୟାସ,ହେବ ୩ ହଜାର ୫୦ କୋଟିର ପୁଞ୍ଜିନିବେଶ।

ଚୌଦ୍ବାର: ରାଜ୍ୟର ପ୍ରଥମ ଶିଳ୍ପନଗରୀ ଚୌଦ୍ବାରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟନଶିଳ୍ପ କମ୍ପାନି ୱେଲ୍‌ସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହାଦ୍ବାରା ଚୌଦ୍ବାରରେ ଶିଳ୍ପ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ଏହି ପ୍ରକଳ୍ପରେ ୩ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରାଯିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କପା ଚାଷୀ ମଧ୍ୟ ଉପକୃତ ହେବା ସହ ମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା। ୱେଲ୍‌ସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନି। ଚୌଦ୍ୱାରରେ ଏହା ଏକ ସମନ୍ବିତ ବୟନଶିଳ୍ପ ପ୍ରସ୍ତୁତି କାରଖାନା ଓ ଗୋଦାମ (ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ) ନିର୍ମାଣ କରୁଛି। ଏଥିପାଇଁ କମ୍ପାନି ୩ ହଜାର୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି।

Advertisement

ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲ୍‌ସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗ୍ରୁପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏହି ଶିଳ୍ପ ଦ୍ବାରା କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀମାନେ ମଧ୍ୟ ଉପକାର ପାଇବେ। ସେମାନଙ୍କ କପା ବିକ୍ରି ପାଇଁ ଆଉ ବାହାରକୁ ଯିବନି। ବୟନ ଶିଳ୍ପରେ ମା’ ମାନଙ୍କ ପାଇଁ ବହୁତ ସୁଯୋଗ ରହିଛି। ୱେଲ୍‌ସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ବିକାଶ ଯାତ୍ରାରେ ୱେଲ୍‌ସ୍ପନ ଗ୍ରୁପର ସହଯୋଗ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହି ଶିଳ୍ପର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *