ଟିକାଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ଲୋକମାନଙ୍କୁ ଘରେ ଟିକା ଦିଆଯିବ, କେନ୍ଦ୍ର ଜାରି କଲା ନିୟମାବଳୀ

ନୂଆଦିଲ୍ଲୀ : ଏଣିକି ଦିବ୍ୟାଙ୍ଗ ଓ ଟିକାଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ବରିଷ୍ଠ ନାଗରିକମାନଙ୍କୁ ଘରେ ଯାଇ କରୋନା ଟିକା ଦିଆଯିବ । ଏ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ ଟିକାକରଣ ସମ୍ପର୍କିତ ବିଶେଷଜ୍ଞ କମିଟିର ମୁଖ୍ୟ ଡଃ ଭି.କେ.ପଲ କହିଛନ୍ତି ଯେ ଯେଉଁ ଲୋକମାନେ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବାକୁ ସକ୍ଷମ ନୁହେଁ ସେମାନଙ୍କୁ ଘରକୁ ଯାଇ ଟିକା ଦିଆଯିବ । ଏ ନେଇ ଗାଇଡଲାଇନ ଜାରି ହୋଇସାରିଛି ଓ ଖୁବଶୀଘ୍ର ଏସଓପି (ମାନକ କାର୍ଯ୍ୟବିଧି) ଜାରି କରାଯିବ । ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏହି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଦେଶର ମୋଟ ପ୍ରାପ୍ତ ବୟସ୍କ ଜନସଂଖ୍ୟା (୧୮ ବର୍ଷରୁ ଅଧିକ)ର ୬୬ ପ୍ରତିଶତ ପ୍ରଥମ ମାତ୍ରା ବା ଡୋଜ୍ ଟିକା ନେଇସାରିଛନ୍ତି । ଏହି ଜନସଂଖ୍ୟାର ୨୩ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇଛନ୍ତି । ଦେଶର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସବୁ ପ୍ରାପ୍ତ ବୟସ୍କ ଅତି କମରେ ଗୋଟିଏ ଟିକା ନେଇଛନ୍ତି ।

ଦିବ୍ୟାଙ୍ଗମାନେ ଯେପରି କରୋନା ସଂପର୍କିତ ସେବା (ପରୀକ୍ଷଣ, ଟିକାଦାନ ଆଦି) ସହଜରେ ପାଇପାରିବେ ସେଥିପାଇଁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସମନ୍ବୟରେ ଏହି ସେବା ଯୋଗାଇ ଦିଆଯିବ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଏଥିପାଇଁ ଶୀର୍ଷ ଅଧିକାରୀ (ନୋଡାଲ ଅଫିସର) ନିଯୁକ୍ତ କରାଯିବ । ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମନ୍ବୟ ରଖି ଦିବ୍ୟାଙ୍ଗମାନଙ୍କ କରୋନା ପରୀକ୍ଷଣ, ଚିକିତ୍ସା, ଟିକାଦାନ ଆଦିକୁ ସୁଗମ କରିବେ ।

Leave a Reply

Your email address will not be published. Required fields are marked *