ମୁମ୍ବାଇ: ଚଳିତ ଏକଦିବସୀୟ ପୁରୁଷ କ୍ରିକେଟ୍ ବିଶ୍ବକପ୍ର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ପଏଣ୍ଟ୍ ତାଲିକାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଚାରି ନମ୍ବରରେ ଥିବା ନ୍ୟୁଜିଲାଣ୍ଡ ସେମିଫାଇନାଲରେ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଯାଇଛି। ଏହି ପ୍ରତୀକ୍ଷିତ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଆସନ୍ତାକାଲି ଖେଳାଯିବ। କାଲି ୨୦୧୯ ବିଶ୍ବକପ୍ ସେମିଫାଇନାଲ୍ର ପୁନରାବୃତ୍ତି ହେବ। ୪ବର୍ଷ ତଳେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପ୍ର ଗତ ସଂସ୍କରଣର ସେମିଫାଇନାଲ୍ରେ ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ଭେଟାଭେଟି ହୋଇଥିଲେ। ବର୍ଷା ପ୍ରଭାବିତ ସେହି ମୁକାବିଲାକୁ ୧୮ ରନ୍ରେ ଜିତି ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଥିଲା।
ସେପଟେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଚୂରମାର୍ ଇଯାଇଥିଲା। ଏଥର ଘରୋଇ ପରିବେଶରେ ଭାରତ ହାତରେ ସେହି ଦୁଃଖଦ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଥିବା ବେଳେ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂ ସେମିଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଏକଦିବସୀୟ ପୁରୁଷ କ୍ରିକେଟ୍ ବିଶ୍ବକପ୍ର ସେମିଫାଇନାଲ୍ ହରଭଜନ ସିଂ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି। ଏହା ସହ ଏଥର ବିଶ୍ୱକପ ଭାରତ ଜିତିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।
ସେ କହିଛନ୍ତି ଯେ, “ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଦଳ ସମଗ୍ର ବିଶ୍ୱକପରେ ନିଜର ପ୍ରଦର୍ଶନ ମାଧ୍ୟମରେ ଦର୍ଶାଇଛି ଯେ, କାହିଁକି ବିଶ୍ବକପ ଜିତିବା ପାଇଁ ଭାରତୀୟ ଦଳ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ପ୍ରଥମେ ବ୍ୟାଟିଂ କଲେ ଆମେ ୪୦୦ରନ୍ ସ୍କୋର କରିବାକୁ ଚେଷ୍ଟା କରୁ। ବେଳେବେଳେ ପ୍ରଥମେ ବୋଲିଂ କରି ଆମେ ଅନ୍ୟ ଦଳଗୁଡିକୁ ଖୁବ୍ କମ୍ ରନରେ ଆଉଟ କରିଦେଉ। ଭାରତୀୟ ଦଳ ପ୍ରତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରୁଛନ୍ତି। ଏବେ ଭାରତୀୟ ଟିମକୁ ଆଉ ୨ଟି ମ୍ୟାଚ୍ ଜିତି ବିଶ୍ବକପ ହାତେଇବାର ଅଛି। ସେମିଫାଇନାଲ ଓ ଫାଇନାଲରେ ଚାପ ତ ନିଶ୍ଚିତ ରହିବ। ହେଲେ ମୁଁ ଆଶା କରୁଛି ଭାରତ ଭଲ ଖେଳିବ। “