ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି ।ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।




ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ । କିଷନ ୧୩୧ଟି ବଲରୁ ୧୦ ଛକା ଓ ୨୪ ଚୌକା ସହ ୨୧୦ ରନ କରିଥିଲେ । ୪ର୍ଥ ଭାରତୀୟ ଖେଳାଳୀ ଭାବେ ସେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ରୋହିତ ଶର୍ମା ( ୩ ଥର) ଦ୍ବିଶତକ ହାସଲ କରିଛନ୍ତି । ସେହିପରି ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଓ ପାକିସ୍ତାନର ଫକର ଜମାନ ଦ୍ବିଶତକ ହାସଲ କରିଛନ୍ତି ।
ସେହିପରି ବିରାଟ ମଧ୍ୟ ଦ୍ରୁତ ଗତିରେ ଖେଳି ୯୧ଟି ବଲରୁ ୧୧୩ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟରଙ୍କ ମଧ୍ୟରୁ ଓ୍ବାସିଂଟନ ସୁନ୍ଦର ୩୭ ରନ ଓ ଅକ୍ଷର ପଟେଲ ୨୦ ରନ କରିଥିଲେ ।