ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଡିସେମ୍ବର ୩୧ରେ ଅବସର ନେବେ। ଏହା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ପରବର୍ତ୍ତୀ ଡିଜି ନିଯୁକ୍ତି ଯାଏଁ ଏହି ଦାୟିତ୍ବ ତୁଲାଇବେ। ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ସ୍ବତନ୍ତ୍ର ପୁଲିସ୍ ଡିଜି ପାହ୍ୟାରେ ଅବସ୍ଥାପିତ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶକ ସହ ସେ ପୁଲିସ୍‌ ବିଭାଗର ମୁଖ୍ୟ ଭାବେ କାମ କରିବେ।

ଆଇପିଏସ୍‌ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ଅନୁଗୁଳ ଜିଲ୍ଲା ତାଳଚେର ଏସ୍‌ଡିପିଓ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ବର, ରାଉରକେଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ପରେ କ୍ରାଇମ୍‌ବ୍ରାଞ୍ଚର ସିଆଇଡି ପ୍ରଭାଗର ଏସପି ଭାବେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ପଦୋନ୍ନତି ପାଇ ଡିଆଇଜି ହେବା ପରେ ନର୍ଦ୍ଦର୍ଣ୍ଣ-ସେଣ୍ଟ୍ରାଲ ରେଞ୍ଜ, ତାଳଚେର ଓ ଭୁବନେଶ୍ବରରେ କାମ କରିଥିଲେ। ସେହିପରି ଆଇଜି ଭାବେ ପଦୋନ୍ନତି ପାଇବା ପରେ ସେ ଆଇନ ଶୃଙ୍ଖଳା ଦାୟିତ୍ବରେ ରହିଥିଲେ । ଶ୍ରୀ ଷଡ଼ଙ୍ଗୀ ତାଙ୍କର କର୍ମମୟ ଜୀବନରେ ଅନେକଗୁଡ଼ିଏ ପୁରସ୍କାର ପାଇଛନ୍ତି। ଏଥିରେ ୨୦୦୪ରେ ରାଜ୍ୟପାଳ ପଦକ, ୨୦୦୭ରେ ପୁଲିସ ପଦକ ମଧ୍ୟ ସାମିଲ ରହିଛି।

ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ କିଏ ହେବେ, ଏନେଇ ସରକାର ମୋଟ ୭ଜଣ ଆଇପିଏସ ଅଧିକାରୀଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ଏଥିରେ ଅଛନ୍ତି ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍‌.ପ୍ରସାଦ, ବି ରାଧିକା, ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ।

Leave a Reply

Your email address will not be published. Required fields are marked *