ଅନୁଗୋଳ : ଅନୁଗୋଳ ଜିଲ୍ଲାର ଜରପଡା ପତିତ ପାବନ ଡିଗ୍ରୀ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଗତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ । ତେବେ ମଣିଷ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ହେଲେ ସଫଳତା ସକାଶେ ସଂଘର୍ଷ ଜାରି ରଖିବା ପାଇଁଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମାଧ୍ୟମରେ ଉଦାହରଣ ସ୍ୱରୂପ ପରାମର୍ଶ ଦେଇଥିଲେ ଏବଂ ମତବ୍ୟକ୍ତ କରିଥିଲେ । ସେହିପରି ମହାବିଦ୍ୟାଳୟ ହଷ୍ଟେଲ ନିର୍ମାଣ ସକାଶେ ଆବଶ୍ୟକ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଗୋଳ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼ଃ ଗଙ୍ଗାଧର କର , ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭାଇସ ଚାନ୍ସେଲର ( ସମ୍ବଲପୁର ବିଶ୍ୱବିଦ୍ୟାଳୟ) ଡଃ ଅର୍କ କୁମାର ଦାସ ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଉପରୋକ୍ତ ଶିଳ୍ପାନୁଷ୍ଠାନ କିଭଳି ଭାବେ ସରକାରୀ ସ୍ତରରେ ଉତ୍ତରୋତ୍ତର ଉନ୍ନତି ହୋଇପାରିବ ଏପରିକି ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି ମତପ୍ରକାଶ କରିଥିଲେ । ସେହିପରି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କ୍ଷେତ୍ରରେ ବ୍ୟାପକ ବନ୍ଦୋବସ୍ତ କରାଯିବା ପାଇଁଁ ପଦକ୍ଷେପ ନିଆଯିବ ବୋଲି ମତପ୍ରକାଶ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶରତ କୁମାର ଗଡ଼ନାୟକ , ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗବନ୍ଧୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାସହିତ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ , ଜିଲ୍ଲା ପରିଷଦ ସଦସ୍ୟା ଭାନୁପ୍ରିୟା ପ୍ରଧାନ ,ଏୟୂସିସି ବ୍ୟାଙ୍କ ନିର୍ଦେଶକ ନାରାୟଣ ସାହୁ , ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭୋଳେଶ୍ୱର ଗୋଛାୟତ , ଜ୍ୟୋସ୍ନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ ଏହି ବାର୍ଷିକ ଉତ୍ସବ ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ ସୁଷମା ପ୍ରଧାନ , ପରିଚାଳନା କମିଟି ପୁରାତନ ସଦସ୍ୟ ଲକ୍ଷ୍ମୀଧର ସାହୁ , ରସାନନ୍ଦ ସାହୁ , ପ୍ରମୋଦ କୁମାର ସାହୁ , ସୁବର୍ଣ୍ଣ ସାହୁ ପ୍ରମୁଖ ସ୍ୱତନ୍ତ୍ର ଭାବେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ । ମହାବିଦ୍ୟାଳୟ ବରିଷ୍ଠ ଅଧ୍ୟାପକ ଜଗବନ୍ଧୁ ସାହୁ ସ୍ୱାଗତ ଅଭିଭାଷଣ , ଅତିଥି ପରିଚୟ ସାଙ୍ଗକୁ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଡଃ ରେଣୁବାଳା ସାହୁ ସଭାମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜୁନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତେବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ଜଣାପଡ଼ିଛି । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ଅଭିଭାବକ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।