ଶାଲୁ ଜିନ୍ଦଲଙ୍କ ଦ୍ବାରା ଭ୍ରାମ୍ୟମାଣ ମୃ୍ତ୍ତିକା ପରୀକ୍ଷଣ ଭ୍ୟାନର ଶୁଭାରମ୍ଭ
୨ ହଜାରରୁ ଅଧିକ ପ୍ରାକୃତିକ ଓ ମିଲେଟ୍ ଚାଷୀଙ୍କୁ ମିଳିବ ସହାୟତା।
ଭୁବନେଶ୍ୱର : କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରୁ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ “ଜିନ୍ଦଲ କୃଷି ସେବା’’ ଆରମ୍ଭ କରାଯାଇଛି । ଅନୁଗୋଳ ଜିଲ୍ଲାରେ ପ୍ରାକୃତିକ କୃଷି ଏବଂ ରାସାୟନିକ ସାର ଓ କୀଟନାଶକ ମୁକ୍ତ କୃଷି ଉତ୍ପାଦନକୁ ପ୍ରୋତ୍ସାହନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ସବୁଜ ପତାକା ଦେଖାଇ ଏକ ଭ୍ରାମ୍ୟାମଣ ମୃତ୍ତିକା ପରୀକ୍ଷଣ ଭ୍ୟାନର ଶୁଭାରମ୍ଭ କରିବା ସହିତ ଏହି ପ୍ରକଳ୍ପର ଉଦ୍ଘାଟନ କରିଥିଲେ ।

ଜିଲା ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମାଶଙ୍କର ମିଶ୍ର, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଶ୍ରୀ ଅମ୍ବର ଲୁବୁନ୍, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀ ଆଶୁତୋଷ ରାୟ, ପ୍ରମୁଖ ବୈଜ୍ଞାନିକ ଏବଂ କେଭିକେ ଅନୁଗୁଳର ମୁଖ୍ୟ ଶ୍ରୀ ଦେବାଶିଷ ମିଶ୍ର, ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ, ସିଏସ୍ଆର ଏବଂ ଶିକ୍ଷାର ପ୍ରେସିଡେଣ୍ଟ ତଥା ଗୃପ ହେଡ ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ଅବସରରେ ଶ୍ରୀମତି ଶାଲୁ ଜିନ୍ଦଲ କହିଥିଲେ, “ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବିକାଶ, ପ୍ରାକୃତିକ ବିହନ ଉପଚାର, ପ୍ରାକୃତିକ କୃଷି ସାମଗ୍ରୀ ଯେମିତି କି ଜିଆ ଖତ, ଗାଈ ଗୋବର ଏବଂ ଗୋ-ମୂତ୍ରର ବ୍ୟବହାର, ଫସଲ ବିବିଧତା, ଆଧୁନିକ କୃଷି ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ । ପରିବେଶ ସଂତୁଳନ, ଖାଦ୍ୟ ସୁରକ୍ଷା ଏବଂ କୃଷକ ଓ କୃଷି ପରିବାରର ଉନ୍ନତି ସହିତ ଗାଁ ଆର୍ଥିକ ଉନ୍ନତି ପାଇଁ ଜିନ୍ଦଳ ଫାଉଣ୍ଡେସନ୍ ସର୍ବଦା ପ୍ରୟାସରତ”।

ଏହି କାର୍ଯ୍ୟକ୍ରମ ଶ୍ରୀ ନବୀନ ଜିନ୍ଦଲ ଜୀଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ, ଯିଏ କେବଳ କୃଷକମାନଙ୍କ କଲ୍ୟାଣ ପାଇଁ ଚିନ୍ତିତ ନୁହଁନ୍ତି ବରଂ ସମ୍ପ୍ରତି ସଂସଦରେ ପ୍ରାକୃତିକ କୃଷିର ଗୁରୁତ୍ୱ ଏବଂ ଦେଶ ଏହାକୁ ମିଶନ ମୋଡରେ କାହିଁକି ଗ୍ରହଣ କରିବା ଉଚିତ ସେ ବିଷୟରେ ଦୃଢ଼ ଭାବରେ ବକ୍ତବ୍ୟ ରଖିଛନ୍ତି।
ଏହି ଭ୍ର୍ୟାମ୍ୟମାଣ ମୃତ୍ତିକା ପରୀକ୍ଷଣ ଯାନ ବିଭିନ୍ନ ଗ୍ରାମ ଭ୍ରମଣ କରିବା ସହ ମୃତ୍ତିକାର ଗୁଣବତ୍ତା ବିଶ୍ଲେଷଣ କରିବ ଏବଂ ପିଏଚ୍ ସ୍ତରଠାରୁ ଆରମ୍ଭ କରି ଲବଣ ପରିମାଣ, ଏନପିକେ ଅନୁପାତ ଏବଂ ଅନ୍ୟାନ୍ୟ ସୁକ୍ଷ୍ମ ପୋଷକ ତତ୍ତ୍ୱ ପର୍ଯ୍ୟନ୍ତ ମୃତ୍ତକା ସ୍ୱାସ୍ଥ୍ୟର ସମସ୍ତ ବିବରଣୀ ଏକ ଘଂଟା ମଧ୍ୟରେ କୃଷକମାନଙ୍କୁ ପ୍ରଦାନ କରିବ ।
ପ୍ରାରମ୍ଭିକ ଭାବରେ ଏହି ସେବା ଅନୁଗୁଳ ଜିଲ୍ଲାର ୪୯ ଟି ଗାଁର ଚାଷୀଙ୍କ ପାଇଁ ଉବଲବ୍ଧ ହେବ । ଯାହା ଫଳରେ ଚାଷୀମାନେ ଉତ୍ତମ ଫସଲ ଯୋଜନା ସହ ପରିଚିତ ହୋଇପାରିବେ ଏବଂ ଏହା ଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ ।
ଏହି ଅବସରରେ ମୃତ୍ତିକା ପରୀକ୍ଷଣର ଏକ ପ୍ରଦର୍ଶନୀ କରାଯାଇଥିଲା । ଯାହା ମୃତ୍ତିକା ବିଶ୍ଲେଷଣ ଉପରେ ବ୍ୟବହାରିକ ଜ୍ଞାନ ଓ ଚିରସ୍ଥାୟୀ କୃଷି ବିଷୟରେ ସଚେତନତା ବୃଦ୍ଧି କରିଥିଲା ।
କାର୍ଯ୍ୟକ୍ରମରେ ଶ୍ରୀମତି ଶାଲୁ ଜିନ୍ଦଲ ଚାଷୀ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିବା ସହ ପ୍ରାକୃତିକ କୃଷି, ମିଲେଟ୍ ଚାଷ ଏବଂ ମିଲେଟ୍-ଭିତ୍ତିକ ଖାଦ୍ୟର ମୂଲ୍ୟବୃଦ୍ଧି କ୍ଷେତ୍ରରେ ଜିନ୍ଦଲ କୃଷି ସେବା ସହିତ ମହିଳାଙ୍କ ଯୋଗଦାନର ସଂଖ୍ୟା ବଢ଼ୁଥିବା ଦେଖି ଖୁସି ପ୍ରକାଶ କରିଥିଲେ ।
କୁରୁକ୍ଷେତ୍ରରେ ପ୍ରାକୃତିକ କୃଷି ଉପରେ ପ୍ରଶିକ୍ଷଣ ଲାଭ କରିଥିବା ସମ୍ପର୍କରେ ବର୍ଣ୍ଣନା କରି କୁଲେଇର ଶ୍ରୀ ପିତାମ୍ବର ପ୍ରଧାନ, ଟୁକୁଡ଼ାର ଶ୍ରୀ ପ୍ରତାପ ପ୍ରଧାନ ଏବଂ ମଝିକାର ଶ୍ରୀ ଦ୍ୱାରୀ ପ୍ରଧାନ ଜିନ୍ଦଲ ଫାଉଣ୍ଡେସନର କୃଷି ପଦକ୍ଷେପର ପ୍ରଶଂସା କରିଥିଲେ ।
ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀମତି ଶାଲୁ ଜିନ୍ଦଲ କହିଛନ୍ତି, “ପ୍ରାକୃତିକ କୃଷିରେ ‘ପ୍ରକୃତିକୁ ଫେରିବା’ ପଦ୍ଧତି ସହିତ ମୁଁ ନିଶ୍ଚିତ ଯେ ଆମର ଚାଷୀମାନେ ଏପରି ପଦ୍ଧତି ଗ୍ରହଣ କରିବା ଦ୍ୱାରା କର୍କଟ, ପାଚନ ନାଳରେ ରୋଗ ଏବଂ ସ୍ନାୟୁଗତ ବିକାରର ପ୍ରତିରୋଧ ପାଇଁ ଏହା ସହାୟକ ହେବ । ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ୨ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଇଛି ଏବଂ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହାକୁ ଧୀରେ ଧୀରେ ସମଗ୍ର ଅନୁଗୁଳ ଜିଲ୍ଲା ଏବଂ ରାଜ୍ୟରେ ଏହା ବିସ୍ତାର କରାଯିବାର ଲକ୍ଷ୍ୟ ରଖାଯାଇଅଛି ।’’
ଏଥି ସହିତ ଶ୍ରୀମତି ଶାଲୁ ଜିନ୍ଦଲ ମହିଳା ଚାଷୀମାନଙ୍କ ସହିତ ଆଲୋଚନା କରିବା ସମୟରେ ସେମାନଙ୍କୁ ସଜନା ଛୁଇଁ ଏବଂ ସଜନା ଶାଗ ଖାଇବା ପାଇଁ ଉପଦେଶ ଦେବା ସହ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତି ସମୟରେ ରିଫାଇନ ତେଲ, ମଇଦା ଏବଂ ଚିନିଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱ ଦେଇଥିଲେ ।