ଓଡ଼ିଶାକୁ ବିଜେଡି ମୁକ୍ତ କରିବାକୁ ପଡ଼ିବ: ବିଜେପି ରାଷ୍ଟ୍ରୀୟ ଅଧକ୍ଷ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବା, ମହିଳା ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘରଘରକୁ ଯାଇ ମୋଦୀ ସରକାରର ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ସେ କହିଛନ୍ତି, ଓଡ଼ିଶାରେ ମୋଦୀ ସରକାର ଛଅଟି ନୂତନ ମେଡିକାଲ କଲେଜ ସ୍ଥାପନ କରିଛନ୍ତି। ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ୁଛି। ଏକଥା ଗାଁଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଆଗାମୀ ୨୫ ବର୍ଷରେ ଭାରତକୁ ଶ୍ରେଷ୍ଠ ଭାରତ ଭାବେ ଠିଆ କରାଇବାକୁ ପଡ଼ିବ।  ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହା କହିଛନ୍ତି। ବିକଶିତ ଭାରତ ସହ ବିକଶିତ ଓଡ଼ିଶାର ଗଠନ ହେବା ଦରକାର ବୋଲି ଜେପି ନଡ୍ଡା କହିଛନ୍ତି।  ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ। ଏଣୁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଆସିବା ଦରକାର ବୋଲି ସେ କହିଛନ୍ତି।

୨୦୨୪ରେ ଓଡ଼ିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଶ୍ରୀ ନଡ୍ଡା ରାଜ୍ୟବାସୀଙ୍କ ସାମ୍ନାରେ ଦଳର ପରିବର୍ତ୍ତିତ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ବେଳେ ଅତି କଡ଼ା ଭାଷାରେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଠିଆ କରି ଜଣାଇଥିଲେ ଯେ ଏବେ ବିଜେପି ଟାର୍ଗେଟରେ କେବଳ ବିଜେଡି ହିଁ ରହିବ। ଗତ ସାଧାରଣ ନିର୍ବାଚନ ପରଠାରୁ ବିଜେପିର କୌଣସି ରାଷ୍ଟ୍ରୀୟ ନେତା ବିଜେଡି ବିରୋଧରେ ମୁହଁ ଖୋଲୁନଥିଲେ। ଆଜି ନଡ୍ଡା ଏହି ଧାରାକୁ ନିଜେ ଭାଙ୍ଗି ସିଧାସଳଖ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *