କାରଗିଲ ବିଜୟ କଥା ଭାବିଲେ ସେହି ମହାନ ବୀର ସୈନିକ ମାନଙ୍କ କଥା ମନେ ପଡ଼େ । ଯେଉଁ ମାନଙ୍କ ବଳୀଦାନ ଯୋଗୁ ଆମଦେଶର ଅଖଣ୍ଡତା ବଜାୟ ରହି ପାରିଛି । ଆଜି ସେହି ବୀରମାନେ ନାହାନ୍ତି ସତ କିନ୍ତୁ ଛାଡ଼ି ଦେଇ ଯାଇଛନ୍ତି ଅନେକ ଗାଥା । ଆଉ ଅନେକ ସ୍ମୃତି । ସେମାନଙ୍କ ବୀରତ୍ବର କାହାଣୀ ଆଜି ପ୍ରତ୍ୟକ ଦେଶବାସୀଙ୍କ ମନରେ ଲିପିବଦ୍ଧ ହୋଇ ରହିଛି । ସେଥିପାଇଁ ସାରା ଦେଶରେ କାରଗିଲ ବିଜୟ ଦିବସ ପାଳନ ହେଉଛି । ସେହି ବୀର ସୈନିକ ମାନଙ୍କ ମଧ୍ୟରେ ଅନୁଗୋଳ ର ମାନସ ରଞ୍ଜନ ସାହୁ ଅନ୍ୟତମ ।
ଜିଲ୍ଲାର ପୁରୁଣାଗଡ଼ ମାଟିଆସାହିର ନିବାସୀ ସହୀଦ ମାନସ ରଞ୍ଜନ ସାହୁ । ବାପା ଥିଲେ ଜଣେ ଶିକ୍ଷକ । ମାଁ ଗୃହିଣୀ । 3ଭାଇଙ୍କ ମଧ୍ୟରେ ମାନସ ଥିଲେ ମଝିଆ । 1974 ମସିହା ମେ ମାସ 27ତାରିଖରେ ଜନ୍ମ ଗ୍ରହଣ କରିଥିବା ମାନସଙ୍କ ବାଲ୍ୟ ଶିକ୍ଷା ଅନୁଗୋଳ ସହରର ସିନିୟର ବେସିକ ସ୍କୁଲ ଓ ଅନୁଗୋଳ ସରକାରୀ ହାଇସ୍କୁଲରେ ସମାପ୍ତ ହୋଇଥିଲା । କଲେଜରେ ଯୁକ୍ତ2 ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଆଇଟିଆଇରେ ମେକାନିକ ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଶିକ୍ଷା ଆପେକ୍ଷା ମାର୍ଶାଲ ଆର୍ସରେ ଅଧିକ ଆଗ୍ରହ ଥିଲା । ତେଣୁ ସେ ଚେନାଇରୁ ବ୍ଳାକ ବେଲ୍ଟ ପାଇଥିଲେ । ସବୁବେଳେ ଦେଶପାଇଁ କିଛି କରିବାର ଆଗ୍ରହ ଥିଲା । କିନ୍ତୁ ସୁଯୋଗ ମିଳୁ ନଥିଲା । 1997 ମସିହା ମେ ମାସରେ ସେନା ବାହିନୀରେ ନିଯୁକ୍ତି ପାଇଁ ସମ୍ବଲପୁର ଗଲେ । ସେଠାରେ ତାଙ୍କର ଚୟନ ହୋଇଗଲା । ଘରେ ମାଁ ଆଦୈା ରାଜି ନଥିଲେ ସେନା ବାହିନୀରେ ଛାଡ଼ିବା ପାଇଁ । କିନ୍ତୁ ବାପାଙ୍କର ପ୍ରେରଣା ରହିଥିଲା । ମାନସ କହୁଥିଲେ ମଣିଷ ଦିନେ ଜନ୍ମ ହୋଇଛି ଦିନେ ମରିବ । ହେଲେ ଦେଶ ପାଇ ମରିବା କାହା ଭାଗ୍ୟରେ ଥାଏ । ଏଭଳି ବୁଝାଇ ଦେଶ ସେବା କରିବାକୁ ଭାରତୀୟ ସେନା ବାହିନୀରେ ସିଗନାଲ ଅପରେଟର ଭାବେ ଯୋଗ ଦେଇଥିଲେ । ସେ ଚୟନ ହେବା ପରେ 1997 ଜୁନ ମାସରେ ତାଲିମ ପାଇଁ ଗୋଆ ଗଲେ । ସେଠାରେ ଦେଢ ବର୍ଷ ତାଲି ଶେଷ କରି ପ୍ରଥମେ ଶ୍ରୀନଗରରେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେତେବେଳକୁ ଅପରେସନ କାରଗିଲ ଚାଲିଥିଲା । ଶ୍ରୀନଗର ଯିବା ପୁର୍ବରୁ କିଛି ଦିନ ଛୁଟିରେ ଘରକୁ ଆସିଥିଲେ । ଛୁଟି ସାରି ଗଲା ପରେ ଆଉ ପରିବାର ସହ ତାଙ୍କର କୈାଣସି ଯୋଗାଯୋଗ ରହି ନଥିଲା । ସେଠାରେ ଗତ 1999ରେ ପାକିସ୍ଥାନ ସହ କାରଗିଲ ଯୁଦ୍ଧରେ ମାନସ ସକ୍ରିୟ ଭାବେ ଲଢି ଥିଲେ । ସେତେବେଳେ ସେ ଲାନସ ନାଏକ ଭାବେ କାମ କରୁଥିଲେ । ତାଙ୍କ ସହ ଆଉ 4ଜଣ ସହଯୋଗୀ ଥିଲେ । ପାକିସ୍ତାନ ସେନା ଦ୍ବାରା ଏକ ଭାରତୀୟ ବଙ୍କର ନଷ୍ଟ ହୋଇ ଯାଇଥିଲା । କିଛି ସିଗନାଲ ତାର ନଷ୍ଟ ହୋଇ ଯାଇଥିବାରୁ ମାନସ ଓ ଅନ୍ୟ 3ଜଣ ସେହି ତାରକୁ ଯୋଡ଼ୁ ଥିବା ବେଳେ ଶତୃ ସନ୍ୟର ଆକ୍ରମଣରେ ସହୀଦ ହୋଇ ଯାଇଥିଲେ । ତେବେ ଅନ୍ୟ ଜଣେ ସହଯୋଗୀ ଠିକ ସେତିକି ବେଳେ ପିଇବା ପାଣି ଆଣିବାକୁ ଯାଇଥିବାରୁ ବଞ୍ଚି ଯାଇଥିଲେ । ଘଟଣା ଘଟିଥିଲା 1999 ମସିହା ଜୁନ ମାସ 7ତାରିଖରେ । ସେହି ମାସ 8ତାରିଖରେ ନିଜ ଗାଁରେ ପହଞ୍ଚିଥିଲା ତାଙ୍କ ମର ଶରୀର । ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ମାନସ ରଞ୍ଜନ ଅମର ରହେ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ସାଙ୍ଗସାଥୀ, ପରିବାର, ଆତ୍ମୀୟ ସ୍ବଜନ ଓ ନିଜ ମାଟିର ମଣିଷ ମାନଙ୍କ ଆଖିରେ ଝରୁ ଥିଲା ଲୁହ ।
କାରଗିଲ ଯୁଦ୍ଧ 73ଦିନରେ ଶେଷ ହୋଇଥିଲା । ଭାରତୀୟ ସେନା ପାକିସ୍ଥାନକୁ ପରାଜୟ କରିଥିଲେ । କିନ୍ତୁ ଏହି ଯୁଦ୍ଧରେ ଭାରତର 527ଜଣ ସୈନିକ ମୃତ୍ୟୁ ବରଣ କରିଥିବା ବେଳେ 1700 ଆହତ ହୋଇଥିଲେ । ଓଡ଼ିଶାରୁ 13 ଜଣ ସୈନିକ ଏହି ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ମାନସ ଅନ୍ୟତମ । କହିବାକୁ ଗଲେ କାରଗିଲ ଯୁଦ୍ଧରେ ସହୀଦ ହୋଇଥିବା ଓଡ଼ିଆ ସୈନିକଙ୍କ ମଧ୍ୟରେ ମାନସ ଥିଲେ ପ୍ରଥମ । ତେଣୁ ସେତେବେଳେ ସହୀଦ ମାନସଙ୍କୁ ସରକାର ଓ ପ୍ରଶାସନ ତରଫରୁ ଏଭଳି ଭାବରେ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିଲା ତାହା ସ୍ମରଣୀୟ । 2000 ମସିହାରେ ପ୍ରଶାସନ ତରଫରୁ ମାଟିଆସାହିରେ ସହୀଦ ମାନସ ସ୍ମୃତୀପୀଠ ନିର୍ମାଣ କରା ଯାଇଥିଲା । ପୁରୁଣାଗଡ଼ରୁ ମାଟିଆସାହି ପର୍ଯ୍ୟନ୍ତ ପ୍ରାୟ 1କି.ମି ରାସ୍ତାକୁ ପୁର୍ତ୍ତ ବିଭାଗ ତରଫରୁ ସହୀଦ ମାନସ ମାର୍ଗରେ ନାମିତ କରା ଯାଇଛି । ପ୍ରତି ବର୍ଷ ସହୀଦ ମାନସ ସ୍ମୃତି କମଟି ତରଫରୁ ସହୀଦ ଦିବସରେ ବିଭିନ୍ନ କାର୍ଯକ୍ରମ କରା ଯାଉଛି
ଏହା ମଧ୍ୟରେ 21ବର୍ଷ ବିତି ଯାଇଛି । ଦେଶ ପାଇଁ ବଳିଦାନ ଦେଇଥିବା ବୀର ସୈନିକ ମାନେ ଆକାଶର ତାରା ହୋଇ ଯାଇଛନ୍ତି । ହେଲେ କାହା ସ୍ତ୍ରୀ, କାହା ପିଲାଛୁଆ, କାହା ମାଁ, ଭାଇଭଉଣୀ ଓ ବାପାଙ୍କ ଆଖିରୁ ଶୁଖୁନି ଲୁହ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବାରୁ ଯଦିଓ ସେମାନେ ଗର୍ବିତ କିନ୍ତୁ ଜଣେ ଆତ୍ମୀୟକୁ ହରେଇବାର ଦୁଖକୁ ଏତେ ସହଜରେ ଭୁଲି ପାରୁ ନାହାନ୍ତି । ସେହି ବୀର ଜବାନ ମାନଙ୍କ ପ୍ରତି ସ୍ଵର ପରିବାରର ଶ୍ରଦ୍ଧାଞ୍ଜଳୀ ଏବଂ ପରିବାରବର୍ଗ ପ୍ରତି ଗଭୀର ସମବେଦନା ।