ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ: କେନ୍ଦ୍ରାପଡ଼ା, ପାରାଦୀପ ପ୍ରକଳ୍ପ ବିଷୟରେ ଆଲୋଚନା

ଭୁବନେଶ୍ବର: ବିଶ୍ବସ୍ତରୀୟ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ଏନ୍ ମିତ୍ତଲ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଦୀର୍ଘ ଏକ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ କଂପାନି କେନ୍ଦ୍ରାପଡ଼ାରେ ସ୍ଥାପନ କରିବାକୁ ଥିବା ସମନ୍ବିତ ଇସ୍ପାତ ପ୍ରକଳ୍ପ ଓ ପାରାଦୀପ ପ୍ରକଳ୍ପ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆର୍ସେଲର ମିତ୍ତଲର ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ନିର୍ଭର ପ୍ରତିଶ୍ରୁତି ପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌)ର ସିଇଓ ଦିଲ୍ଲୀପ ଓମେନ୍ ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ କରିବାକୁ ବେଶ ଉତ୍ସାହିତ ଥିବା ଶ୍ରୀ ମିତ୍ତଲ ଗତ ଛଅ ମାସ ଭିତରେ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚରେ ସେ ଓଡ଼ିଶା ଆସିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଆର୍ସେଲର ମିତ୍ତଲର ଏକ ସହଯୋଗୀ ସଂସ୍ଥା ଏଏମ୍‌ଏନ୍‌ଏସ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଗତ ମାର୍ଚ୍ଚ ୪ରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମିତ୍ତଲ ସେହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି କାରଖାନା ସ୍ଥାପନ କରିବା ଲାଗି ମହାକାଳପଡ଼ାରେ ୬୫୦୦ ଏକର ଜମି ଚିହ୍ନଟ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *