ପଞ୍ଚଭୂତରେ ଲୀନ ହୋଇଛି ଭାରତ ରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର। । ନିଜର ପ୍ରିୟ ଘର ‘ପ୍ରଭୁକୁଞ୍ଜ’ରୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ଲତାଙ୍କ ଯାତ୍ରା ଥିଲା ଆବେଗପୂର୍ଣ୍ଣ।ମୁମ୍ବାଇର ରାଜରାସ୍ତା ସତେ ଯେମିତି ଝୁରିଝୁରି ନିଜର ପ୍ରିୟ ମଣିଷଟି ପାଇଁ ଲୁହ ଝରାଉଥିଲା। ତାଙ୍କ ପାର୍ଥିବ ଶରୀରକୁ ଶିବାଜୀ ପାର୍କରେ ଯେତେବେଳେ ଶେଷ ଶ୍ରଦ୍ଧାଞ୍ଜଳି ଲାଗି ଶାୟିତ ଅବସ୍ଥାରେ ରଖି ଦିଆଗଲା, ମନେ ହେଉଥିଲା ମାଟିର ମହାକନ୍ୟା ମାଟିରେ ହିଁ ଲୀନ ହେବାକୁ ଯାଉଛନ୍ତି। ସରସ୍ବତୀ ପୂଜାର ପରଦିନ ବିଦାୟ ନେଲେ ସ୍ଵର ସାମ୍ରାଙ୍ଗୀ ।ଆଜି ସକାଳେ ତାଙ୍କର ଦେହାନ୍ତ ହେବା ପରେ ସନ୍ଧ୍ୟାରେ ଶିବାଜୀ ପାର୍କ ଗ୍ରାଉଣ୍ଡରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଭାରତୀୟ ସେନାର ତିନି ବାହିନୀ ପକ୍ଷରୁ ତୋପ ସଲାମୀ ପରେ ୨ ମିନିଟର ନୀରବତା ଅବଲମ୍ବନ କରାଯାଇଥିଲା। ଏହାପରେ ଲତାଙ୍କ ପାର୍ଥିବ ଶରୀର ଉପରେ ଢ଼ଙ୍କା ଯାଇଥିବା ଜାତୀୟ ପତାକାକୁ କଢ଼ା ଯିବା ପରେ ତାହାକୁ ସେନାବାହିନୀ ପକ୍ଷରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।ଏହାପରେ ତାଙ୍କ ପୁତୁରା ଅଜିତ ମଙ୍ଗେସକର ମୁଖାଗ୍ନି ଦେଇଥିଲେ। ନିଜ ପରିବାରବର୍ଗ ଓ ପ୍ରଶଂସକଙ୍କୁ ଛାଡ଼ି ଅନ୍ତିମ ବିଦାୟ ନେଇ ସବୁଦିନ ଲାଗି ପରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି। ଛଳଛଳ ଆଖିରେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି ହଜାର ହଜାର ଶୋକାଭିଭୂତ ମଣିଷ।

ତେବେ ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଲତା ମଙ୍ଗେସ୍କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍ କାଣ୍ଡି ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍ରେ ରଖାଯାଇଥିଲା। ହେଲେ ଏକାଧିକ ଅଙ୍ଗ ଅଚଳ ହେବାରୁ ଆଜି ସକାଳେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।ଭାରତୀୟ ସଂଗୀତର କିମ୍ବଦନ୍ତୀ ଲତା ମଙ୍ଗେସକର କୌଣସି ପରିଚୟର ଆବଶ୍ୟକତା ରଖନ୍ତି ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ସ୍ବୟଂ ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଆବେଗ ଦେଖିବାକୁ ମିଳେ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତରତ୍ନ ଲତା ମଙ୍ଗେସକର ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୀନନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର କଳାକାର ଥିଲେ । ଜନ୍ମ ସମୟରୁ ଲତାଙ୍କ ନାମ ହେମା ଦିଆଯାଇଥିଲା। ତାଙ୍କ ପିତା ‘ଭାବବନ୍ଧନ’ ନାମକ ଏକ ନାଟକରେ ମହିଳା ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ଚରିତ୍ରର ନାମ ଥିଲା ଲତିକା। ଏହି ଲତିକା ନାମରୁ ପ୍ରେରିତ ହୋଇ ନିଜ ବଡ଼ଝିଅର ନାମ ଲତା ରଖିଥିଲେ ଦୀନନାଥ ।
ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ଘରେ ଥିଲା ସଂଗୀତର ମାହୋଲ୍। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ଉଲ୍ଲେଖଯୋଗ୍ୟ, ଲତାଙ୍କ ଭଉଣୀ ଆଶା ଭୋଁସଲେ ଜଣେ ବିଶିଷ୍ଟ ଗାୟିକା ହୋଇଥିବା ବେଳେ ଅନ୍ୟ ଭଉଣୀ ଉଷା ମଙ୍ଗେସକର ସଂଗୀତ ନିର୍ଦ୍ଦେଶିକା। ଆଶା ଓ ଉଷାଙ୍କର ମଧ୍ୟ ଭାରତୀୟ ଚଳଚ୍ଚିତ୍ର ସଂଗୀତକୁ ଉଲ୍ଲେଖନୀୟ ଅବଦାନ ରହିଛି। ଲତାଙ୍କ ଭାଇ ପଣ୍ଡିତ ହୃଦୟନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ହେବା ସହ ସଂଗୀତ ନିର୍ଦ୍ଦେଶକ ମଧ୍ୟ।

ପିତାଙ୍କ ମୃତ୍ୟୁ ପରେ ଲତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ନବଯୁଗ ଚିତ୍ରପଟ୍ଟ ଚଳଚ୍ଚିତ୍ର କମ୍ପାନି ସ୍ବତ୍ବାଧିକାରୀ ବିନାୟକ ଦାମୋଦର କରର୍ଣ୍ଣାଟକୀ। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ୍ ହୈଦର୍ ଲତାଙ୍କ ପ୍ରତିଭାକୁ ପରଖି ଥିଲେ ଓ ତାଙ୍କୁ ବଲିଉଡ୍ର କଣ୍ଠଶିଳ୍ପୀ ହେବାକୁ ପ୍ରେରଣା ଦେଇଥିଲେ। ଏକଦା ୧୯୪୮ ମସିହାର ଚଳଚ୍ଚିତ୍ର ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍ ହୈଦର ପରିଚୟ କରାଇଥିଲେ। କିନ୍ତୁ ଲତାଙ୍କ ସ୍ବର ଖୁବ୍ ପତଳା କହି ଶ୍ରୀ ମୁଖାର୍ଜୀ ଲତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହି ସମୟରେ ଗୁଲାମ୍ ହୈଦର କହିଥିଲେ, ଆଉ କିଛି ବର୍ଷ ପରେ ସମସ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଯାହାକୁ ନିଜ ଚଳଚ୍ଚିତ୍ରରେ ଗାଇବାକୁ ଭିକ୍ଷା ମାଗିବେ, ତାଙ୍କ ଗୋଡ଼ ଧରିବେ; ଏ ହେଉଛନ୍ତି ସେହି କଣ୍ଠଶିଳ୍ପୀ। ଶେଷରେ ତାହା ହିଁ ହୋଇଥିଲା। ଗୁଲାମ୍ ହୈଦରଙ୍କୁ ନିଜ ଗଡ୍ଫାଦର ଭାବେ ସ୍ବୀକାର କରନ୍ତି ଲତା।
ଗୁଲାମ୍ ହୈଦର ଲତାଙ୍କୁ ତାଙ୍କ ଜୀବନର ପ୍ରଥମ ବଡ଼ ସୁଯୋଗ ଦେଇଥିଲେ। ୧୯୪୮ ମସିହାର ‘ମଜବୁର୍’ ଚଳଚ୍ଚିତ୍ରର ‘ଦିଲ୍ ମେରା ତୋଡ଼ାଟ୍ଟ ମୁଝେ କହିଁ କା ନା ଛୋରାଟ୍ଟ’ ଗୀତ ଲତାଙ୍କୁ ସଫଳତାର ସ୍ବାଦ ଚଖାଇଥିଲା। ଆଉ ସେ ପଛକୁ ଫେରି ଚାହିଁ ନଥିଲେ। ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ସିନେମାରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଏହି ଛବିରେ ତାଙ୍କ ଗୀତଟି ବାଦ ପଡ଼ିଥିଲା। ଏହାପରେ ‘ମଜବୁର’, ‘ବେଦର୍ଦ’ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଜନଗଣଙ୍କ ମନୋବଳ ବୃଦ୍ଧି ଲାଗି ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ସବୁ ଭାରତୀୟଙ୍କ ମନକୁ ଭାବବିହ୍ବଳ କରିଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।