ଲଘୁଚାପ ପ୍ରଭାବ କାଲିଠୁ ବର୍ଷା:୧୬ ରୁ ୧୮ ଉପକୂଳରେ ଅଧିକ ବର୍ଷିବା ଆଶଙ୍କା ।

ଭୁବେନଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୧୫ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ଅବପାତଟି ୧୬ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଉତ୍ତର ପଶ୍ଚିମ ଦିଗରେ ଏହା ଗତିପଥ ବଦଳାଇବ । ଯାହାର ପ୍ରଭାବରେ ୧୫ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବାକୁ ଥିବା ବେଳେ ୧୬ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି ୧୭ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୧୫ରେ ମାଲକାନଗିରି , କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ ।୧୬ରେ ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଆଦି ୬ ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ା, ଗଞ୍ଜାମ, ଗଜପତି, ଢେଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୧୭ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଅନ୍ୟପକ୍ଷରେ ଏହି ଲଘୁଚାପ/ ଅବପାତ ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୫ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କ ୧୫ ତାରିଖ ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ପାଣିପାଗ କେନ୍ଦ୍ରର ପରାମର୍ଶ ଆଧାରରେ ରାଜ୍ୟର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ମତ୍ସ୍ୟଜୀବୀଙ୍କୁ ସତର୍କ କରାଇବା ପାଇଁ ଏସ୍‌‌ଆର୍‌‌ସିଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଦ୍ୱାରା ମତ୍ସ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *