ଭୁବନେଶ୍ବର: ରାଜଧାନୀର ‘ମାର୍କେଟ ବିଲ୍ଡିଂ’କୁ ବ୍ୟବସାୟୀ ସଂଘ ମଙ୍ଗଳବାର ଅପରାହ୍ଣରେ ବନ୍ଦ କରିଛନ୍ତି । ଜଣେ ବ୍ୟବସାୟୀଙ୍କ ଗାଡ଼ି ଭଙ୍ଗାରୁଜା ନେଇ ଉତ୍ତେଜନା ଦେଖାଯିବା ପରେ ସଂଘ ଏଭଳି ନିସ୍ପତି ନେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ମାର୍କେଟ ବିଲ୍ଡିଂରେ ଦିନକୁ ଦିନ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଫଳରେ ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଅଘଟଣ ଘଟୁଛି।
ମାର୍କେଟ ବିଲ୍ଡିଂ ମଝିରେ ଥିବା ଫୁଟ୍ପାଥ ରାସ୍ତା ଉପରେ ଜୋର ଜବରଦସ୍ତ ବସି ଉଠା ଦୋକାନୀ ବ୍ୟବସାୟ କରିବା ସହ ଟ୍ରାଫିକ ସମସ୍ୟା ସୃଷ୍ଠୀ କରୁଛନ୍ତି । ଆଜି ଜଣେ ଉଠାଦୋକାନି ମହିଳା ଜଣେ ବ୍ୟବସାୟୀଙ୍କ ଗାଡି ଭାଙ୍ଗିବା ସହ ଗାଳି ଗୁଲଜ କରିଥିଲେ । ଯାହାକୁ କେନ୍ଦ୍ର କରି ଗଣ୍ଡୋଗଳ ମଧ୍ୟ ହୋଇଥିଲା । ଘଟଣା ସ୍ଥଳରେ ବିଏମ୍ସି ଓ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ସୁଧା କୌଣସି ସମାଧାନ ବାହାରି ନଥିଲା । ଫଳରେ ଆସନ୍ତାକାଲି ବ୍ୟବସାୟୀ ସଂଘ, ବିଏମ୍ସି ଅଧିକାରୀ ଓ ପୁଲିସର ବୈଠକ ହେବ। ଏହା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତ୍ତି ହେବ।