ହାଇଦ୍ରାବାଦ: ମିଡିଆ ଜଗତର ମହାନାୟକ ଇଟିଭି ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଦେହାନ୍ତ । ଆଜି ଭୋର୍ ୪ଟା ୫୦ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସକାଳେ ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ, ଶୁଭେଚ୍ଛୁଙ୍କ ସହ ରାମୋଜୀ ଫିଲ୍ମ ସିଟି କର୍ମଚାରୀମାନେ ପହଞ୍ଚୁଛନ୍ତି । ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ରାମୋଜୀ ରାଓ । ତାଙ୍କର ବିୟୋଗରେ ସାରା ମିଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି
ରାମୋଜୀ ଗ୍ରୁପର ଚେୟାରମ୍ୟାନ ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାମୋଜୀ ରାଓ ଭାରତୀୟ ମିଡିଆ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସାମ୍ବାଦିକତା ଏବଂ ଫିଲ୍ମ ଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ନିଜର ଉଲ୍ଲେଖନୀୟ ପ୍ରୟାସରେ ମିଡିଆ, ମନୋରଞ୍ଜନ ଜଗତରେ ନବସୃଜନ ଏବଂ ଉତ୍କୃଷତାର ନୂଆ ଧାରା ସୃଷ୍ଟି କରିଥିଲେ । ଭାରତର ବିକାଶ କ୍ଷେତ୍ରରେ ମଧ୍ୟ ବେଶ୍ ତତ୍ପର ରହିଥିଲେ । ଏଭଳି କଠିନ ସମୟରେ ତାଙ୍କର ପରିବାର, ବନ୍ଧୁ ପରିଜନ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା । ପ୍ରଧାନମନ୍ତ୍ରୀଙ୍କ ସହ ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ଜି କିଷାନ ରେଡ୍ଡୀ ମଧ୍ୟ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ସେହିପରି ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରାମୋଜୀ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଚନ୍ଦ୍ରବାବୁ କହିଛନ୍ତି, ଜଣେ ସାଧାରଣ ପରିବାରରେ ଜନ୍ମ ହୋଇଥିବା ରମୋଜୀ ରାଓ ଅସାଧାରଣ ସଫଳତାର ଅଧିକାରୀ ଥିଲେ । ମିଡିଆ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସମାଜର କଲ୍ୟାଣ ପାଇଁ ସେ ଉତ୍ସର୍ଗୀକୃତ ଥିଲେ । ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଥିଲେ । ତାଙ୍କର ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ।
ରାମୋଜୀ ରାଓଙ୍କ ବିୟୋଗରେ ଟ୍ବିଟ୍ କରି ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ମଧ୍ୟ ରାମୋଜୀ ରାଓଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଇନାଡୁ ଏବଂ ରାମୋଜୀ ଫିଲ୍ମ ସିଟି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗ ଖବର ମୋତେ ସ୍ତବ୍ଧ କରିଛି । ମିଡିଆ ଓ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ଯୋଗଦାନ ଅବିସ୍ମରଣୀୟ । ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।
୨୦୧୬ରେ, ରାମୋଜିଙ୍କୁ ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ରାମୋଜି ରାଓ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓ ଏବଂ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ରାଜନୈତିକ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ନିକଟତରଥିଲେ। ଇଟିଭି ନେଟୱାର୍କ ବ୍ୟତୀତ ସେ ଉତ୍ପାଦନ କମ୍ପାନୀ ଉଷାକିରନ ମୁଭିଜ୍ର ନେତୃତ୍ୱ ନେଇଥିଲେ। ସେ ପ୍ରାୟ ୫୦ ଟି ଚଳଚ୍ଚିତ୍ର ଏବଂ ଟେଲିଫିଲ୍ମ ନିର୍ମାଣ କରିଥିଲେ। ସେ ଏକ ଜାତୀୟ ପୁରସ୍କାର ଏବଂ ଦୁଇଟି ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ରାମୋଜି ଫିଲ୍ମ ସିଟି ହାଇଦ୍ରାବାଦରେ ଶହ ଶହ ଏକର ଉପରେ ବ୍ୟାପିଛି, ଯେଉଁଠାରେ ଏପର୍ଯ୍ୟନ୍ତ ହଜାର ହଜାର ଚଳଚ୍ଚିତ୍ରର ସୁଟିଂ କରାଯାଇ ସାରିଛି ।