କେନ୍ଦ୍ରାପଡ଼ାରେ ୫୦ ହଜାର କୋଟି ପୁଞ୍ଜି ନିବେଶରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ.

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି । ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ।ଆଜି ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମାରୋହରେ ଏହି ଏମଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମ୍ପାନିର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଉପସ୍ଥିତ ଥିଲେ ।

ଏହି ଏମଓୟୁ ପୂର୍ବରୁ ଆଜି ଶ୍ରୀ ମିତ୍ତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଗତ ମଙ୍ଗଳବାର ସେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ।ଗତ ୨୦୧୯ରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶାର ପାରାଦୀପଠାରେ ଥିବା ଏସାର ଷ୍ଟିଲର ପେଲେଟ, ବେନିଫିସିଏସନ ପ୍ରକଳ୍ପ  ଓ ପାଇପଲାଇନକୁ ଖରିଦ କରିଥିଲା । ଗତ ବର୍ଷ ହୋଇଥିବା ଖଣି ନିଲାମରେ ମଧ୍ୟ ଆର୍ସେଲର ମିତ୍ତଲ ଠାକୁରାଣୀ ଓ ସାଗସାହି ଲୁହାପଥର ଖଣି ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *