ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ। ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାଟ୍‌ ପୋର୍ଟାଲ୍‌’ ଲୋକାର୍ପିତ କରିଛନ୍ତି। ୫-ଟି ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ନେଇ ଆମର ‘୫-ଟି ଇନିସିଏଟିଭ୍‌ ଓ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଟେକ୍ନୋଲୋଜିର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ ଟେକ୍ନୋଲୋଜିର ସୁବିଧା ଗାଁ ଗାଁ ରେ ପହଞ୍ଚୁ। ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ। ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *