ଆଠଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା । ହଣାକଟାରେ ଗୋଟିଏ ପରିବାରର ଜଣେ ପ୍ରାଣ ହରାଇଥିବାବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ।
ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଭୂଜାଲି ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଥିଲେ । ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ବାଦଲ ମହାଲିକ ନାମକ ଜଣେ ବ୍ୟକ୍ତିଙ୍କ ଭୂଜାଲି ମାଡରେ ଅନ୍ୟ ଏକ ପରିବାରର ବିନୋଦିନୀ ମହାଲିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବିନୋଦିନୀଙ୍କ ସ୍ଵାମୀ ବିରଞ୍ଚି ମହାଲିକ ଓ ତାଙ୍କ ପୁଅ ଆଲୋକ ମହାଲିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନରସିଂହପୁର ମେଡିକାଲକୁ ନିଆଯାଇଥଲା। ପରେ ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗାଁରେ ଆଠଗଡ଼ ଏସଡିପିଓଙ୍କ ସହ ନରସିଂହପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ବାଦଲକୁ ଧରିବା ପାଇଁ ପୋଲିସ ତଲାସି ଅଭିଯାନକୁ ଜୋରଦାର କରିଛି।