//ତୁମେ ତ ମୋହର //

ତୁମେ ତ ମୋହର ଆତ୍ମା ଓ ଶରୀର
କିବା ନେବ ଥରେ କୁହ
ଆତ୍ମା ମୋର ନନ୍ଦିଘୋଷ କରିଅଛି
ଶରୀରେ ଭରିଛି ମୋହ।।
ଜନମ ଦେଇଛ ଶରୀର ଦେଇଛ
ପରିବାର କୋଳେ ହସେ
ମାଆ ମୋ ନିଜର କହୁଛି ମୁଁ ଯେଣୁ
ଶୋଇନି ତୁମ ପରଶେ।।
ନାନା ବାୟା ଗୀତ ମାଆ ମୋ ଶୁଣାଏ
ବାପା ଆଣିଦ୍ୟନ୍ତି ଜାମା
ଖାଇ ଆନନ୍ଦରେ ତାଙ୍କ କୋଳେ ହସେ
ଦେଖିନି ତୁମକୁ ଜମା।।
କେଉଁ ବଳେ କୁହ ଭାବିବି ତୁମକୁ
ତୁମେ ମୋ ସୃଷ୍ଟି କରତା
ଦିନେ ମାତ୍ର ତୁମେ ଦେଖା ତ ଦେଇନ
କେମିତି ଡାକିବି ପିତା।।
କାହିଁକି କେଜାଣି ଆତ୍ମାକୁ ନ ଚିହ୍ନି
ଖୋଜୁଛି ତୁମରି ପାଦ
ଆତ୍ମା ତ ମୋହର ସଫା ରଖିଅଛି
ଶରୀରେ କାହିଁ ବିଷାଦ।।
ଧରମର ନାଆ ବାହି ଚାଲିଛି ମୁଁ
ଶରୀରକୁ ଦୁଃଖ ଦେଇ
ଆତ୍ମା ଖୁସି ବୋଲି କିପରି ଜାଣିବି
କାନ ତ ଶୁଣିଲା ନାହିଁ ।।
ଯଦି ତୁମ ମୁଖୁଁ ପଦୁଟିଏ କଥା
ଶୁଣି ମୁଁ ପାରିବି କେବେ
ଆତ୍ମା ଓ ଶରୀର ତୁମର ବୋଲି କି
କହିଦେବି ଅବିଲମ୍ବେ ।।
ଯଦି ମୁଁ ଦେଖିବି ତୁମ ପଦ୍ମ ମୁଖ
ଏ ପାପ ନୟନେ ଥରେ
ସମର୍ପି ନିଜକୁ ଚରଣେ ତୁମର
ବରିନେବି ହୃଦୟରେ।।

ଗୀତାମୟୀ ମହାପାତ୍ର, ଅନୁଗୋଳ
ସଂପାଦିକା, ଚେତନାଶ୍ରୀ”

Advertisement

Leave a Reply

Your email address will not be published. Required fields are marked *