|| ମୋ ଗାଁ ||

କବିତା :ମୋ ଗାଁ

ମୋ ଗାଁ
ମୋତେ ଖୁବ୍ ଭଲଲାଗେ
ମୋ ମାଁ
ମୋତେ ଖୁବ୍ ଚିଡ୍ ଚିଡ୍ ହୁଏ
ତଥାପି
ମୁଁ ଅମାନିଆ
ମାନେନା ଗାଁର କଥା
ମାଆ ମନର ଅକୁହା ବ୍ଯଥା
କାହିଁକି ନା….
ମୋ ଗାଁ ଆଉ ମୋ ମାଁ
ଦୁହେଁ ଖୁବ୍ ନିଜର…..
ଆଜି ବି ମନେ ପଡେ
ସେଇ ପିଲାଦିନ
ଗାଁ ପୋଖରୀ ଗାଧୁଆ
ବର୍ଷା ରେ ତାଳ
ଶୀତ ରେ ପଖାଳ
ଆଉ ଧୁ ଧୁ ଖରାରେ ଆମ୍ବଗଛ ମୂଳ
ଇସ୍କୁଲ ପରେ
ବହି ବସ୍ତାନୀ ଫିଙ୍ଗି
ଦୌଡ କବାଡି ବାଡିଡିଆଁ ଖେଳ
ଆଉ
କେବେ
ଓଳି ତଳ ପାଣିରେ କାଗଜ ଡଙ୍ଗା ତ
କେବେ ହିଡ ମୁଣ୍ଡର ପଖାଳ
ଧାନଖଳାରେ କଅଁଳ ଖରା ପାଇଁ ପ୍ରତିଯୋଗିତା ତ
କେବେ ନିଆଁ ପୋଇଁବାର ବେଳ…
ସବୁ ଆଜି ମନେପଡେ
ସେଇ
ଗାଁ ଅଛି
ନିଆଁ ଅଛି
ଖରା ବର୍ଷା ଶୀତ
ଆସୁଛି ଯାଉଛି ।।
ହେଲେ ସମୟ ବଦଳି ଯାଇଛି
ସବୁ ଫିକା ଫିକା ବାସୁଛି ।।
ଆଉ
ମୋ ମାଁ ର
ପାଚି ଗଲାଣି ମୁଣ୍ଡ ବାଳ
ମାଁ ବି ଦୁର୍ବଳ
ହେଲେ
ପିଲାଦିନେ ବାପାଙ୍କର ଶାସ୍ତି ଭଳି
ଏବେ ବି ମାଁ ଭାରି କଠୋର
ସବୁକଥା ରେ କୈୟଫତ୍ ଲୋଡେ
ପାଟି ଶୁଙ୍ଘେ
ତାଗିଦ କରେ
ରାଣ ନିୟମ ଭରେ…
ତା’ ଆଣ୍ଟରେ ଦମ୍ଭ ଭାଙ୍ଗେ
ତା’ ଲୁହରେ ହୃଦୟ ଭାଙ୍ଗେ
ଯେଉଁ ପିଠିରେ ଲାଉ ହୋଇ
ଅଗଣା ବୁଲିଲେ ସରେନା
ଯା ହାତର ଆଙ୍ଗୁଳି ଧରିଲେ ଭୟ ଲାଗେନା
ଦୁଆରୁ ରେଙ୍ଗାଳ ତାଳ ବି ଛୋଟ ଦିଶେ
ବାଇ ଚଢେଇ ବି ମାଁ କଥା ମାନେ
ଆକାଶ ରେ ଜହ୍ନ ମାମୁଁ ହସେ
ଆଉ ଘର ଚଟିଆ
ମାଟିକାନ୍ଥରେ ତା ମୁହଁ ଦେଖେ
ଆଉ
ପଞ୍ଜୁରୀ ଭିତରୁ ମିଟୁ ବି ଡାକେ…
ସେ ମାଁ
ଆଉ ସେ ଗାଁ
କଣ କେବେ ଭୁଲି ହୁଏ ।।
ସେଇଥିପାଇଁ ତ
ସହର ଛାଡି ମଣିଷ ଗାଁ କୁ ଧାଏଁ
ସମୟ ସୁଅରେ
ଗାଁ ର ଭୁଗୋଳ
ପାଣିପାଗ ସିନା ବଦଳି ଯାଏ
ହେଲେ
ମାଁ ର ସ୍ନେହ ଆକଟ
ସେଇମିତି ସାଇତା
ତା’ ପଣତକାନିରେ
ମରିବା ଯାଏଁ ….

Advertisement

ଚତୁର୍ଭୂଜ ସାହୁ

ଓଷ୍କାପାଲି :ରାଜକିଶୋର ନଗର :ଅନୁଗୋଳ

Leave a Reply

Your email address will not be published. Required fields are marked *