ରାଜ୍ୟରେ ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ‘ମେଟ୍ରୋ ପ୍ରକଳ୍ପ’, ୪ ବର୍ଷରେ ସରିବ କାମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନବୀନ ଓଡ଼ିଶାରେ ନୂଆ ଇତିହାସ। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ମେଟ୍ରୋ’ ଭେଟି। ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ ।

ବାରଙ୍ଗ ରତାଗଡ ଲେଙ୍କା ସାହିରେ ‘ମେଟ୍ରୋ’ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଜନସଭାକୁ ଉଦ୍‌ବୋଧନ ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆବର୍ଷରେ ଆଜି ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରଖାଗଲା । ୪ ବର୍ଷରେ ମେଟ୍ରୋ ପ୍ରକଳ୍ପର କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ସୁବିଧା ପାଇବେ । ରାଜ୍ୟର ବିକାଶ ଇତିହାସରେ ଆଜିର ଦିନ ସବୁବେଳେ ଲିପିବଦ୍ଧ ହୋଇ ରହିବ । ମେଟ୍ରୋ କାମ ସରିବା ପରେ ପରିବହନ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିବ ।ଏଥି ସହିତ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନା ଗାଁ ଗୁଡିକରେ ରୂପାନ୍ତର ଆଣିଛି ବୋଲି କହିବା ସହ ମେଟ୍ରୋ ପ୍ରକଳ୍ପ ଏହି ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ବୋଲି କହିଥିଲେ। କଟକ ଓ ଭୁବନେଶ୍ୱର ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ମେଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହାକୁ ପାଳନ କରୁଛି । ନୂଆବର୍ଷର ଏ ଖୁସି ଓ ଆନନ୍ଦ ସବୁବେଳେ ଜାରି ରହୁ । ବିକାଶର ପର୍ବ ଆପଣ ମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ ହେଉଛି । ଏହି ମେଟ୍ରୋ ପ୍ରକଳ୍ପକୁ ଆଗାମୀ ଦିନରେ କଟକ, ପୁରୀ, ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୂଚନାଯୋଗ୍ୟ ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି।  ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ 

Leave a Reply

Your email address will not be published. Required fields are marked *