ବଲାଙ୍ଗିରି : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ବାସୀଙ୍କୁ ନୂଆଖାଇ ଜୁହାର ଜଣାଇବା ସହ ସେ ସେଠାକୁ ଆସିଥିବାରୁ ବହୁତ ଖୁସି ଥିବା କହିଥିଲେ।

ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇଛି। ବଲାଙ୍ଗିର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ। ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ ଓ ବଲାଙ୍ଗୀର ଯାଇ ସେଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିରରେ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିଛନ୍ତି । ସେହିପରି ବଲାଙ୍ଗିର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ,ବଲାଙ୍ଗିର ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ ସହ ଟିଟିଲାଗଡ଼, ବଲାଙ୍ଗିର ଓ ପାଟଣାଗଡ଼ ସମେତ ଅନ୍ୟ ସ୍ଥାନରେ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ଯ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।