ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତ୍ତି ଢାଞ୍ଚାରେହେବ  ଅନୁଗୋଳ ରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ଆସୁଛନ୍ତି ଉଚ୍ଚସ୍ତରୀୟ ଅଫିସର ଦଳ, ଯିବେ ବାଜିରାଉତ ଛାତ୍ରାବାସ।  

ଭୁବନେଶ୍ୱର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବଳୟ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୋଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୋଳ ସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ସରକାର ଯାଥଶୀଘ୍ର ପଦକ୍ଷେପ ନେବେ। ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଗୁରୁବାର ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ। ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ରହିବେ।

ଅନୁଗୋଳ ଠାରେ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ସ୍ଥାପନ କରାଯାଇଥିଲା, ତାହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ହଟାଇ ଦିଆଯାଇଛି। ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ପୁନଃସ୍ଥାପିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଯିବା ପରେ ସବୁଆଡ଼ୁ ବି‌ରୋଧ କରାଯାଇଥିଲା। ଏହା ପରେ ନଗରପାଳ ଭୁଲ ମାଗିଥିଲେ। ପ୍ରତିମୂର୍ତ୍ତି ଭାଙ୍ଗି ଆଉ ଥରେ ଠିକ୍‌ ପୋଷାକ ପିନ୍ଧାଯିବ ବୋଲି କୁହାଗଲା। କିନ୍ତୁ ରାତାରାତି ଭାଙ୍ଗି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା। ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମୁନି। ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି। ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ନବପ୍ରେମୀ। ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି

Leave a Reply

Your email address will not be published. Required fields are marked *