ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୬୨ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସରେ ୨୬୩ରନରେ ଆଗୁଆ ରହିଛି ।
ଆଜି ମ୍ୟାଚର ୨ୟ ଦିବସରେ ଭାରତୀୟ ଦଳ ନିଜର ଗତକାଲିର ସ୍କୋର ୨୨୧/୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ମୟଙ୍କ ଅଗ୍ରଓ୍ବାଲ ନିଜର ୧୫୦ ରନ ପୂରଣ କରିଥିଲେ । ସେ ଆଉଟ ହେବା ପରେ କେବଳ ଅକ୍ଷର ପଟେଲଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ନିମ୍ନ କ୍ରମ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ସ୍ପିନର ଅଜାଜ୍ ପଟେଲଙ୍କ ସ୍ପିନର ସାମନା କରିପାରିନଥିଲେ । ଫଳରେ ଭାରତୀୟ ଦଳ ୩୨୫ ରନରେ ଅଲଆଉଟ ହୋଇଯାଇଥିଲା । ପଟେଲ ଗୋଟିଏ ଇନିଂସରେ ୧୦ଟି ଓ୍ବିକେଟ ନେଇ ଐତିହାସିକ ସଫଳତା ପାଇବା ସହ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରଥମ ଇନିଂସରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଓ ଅକ୍ଷର ପଟେଲ ଏବଂ ପେସର ମହମ୍ମଦ ସିରାଜଙ୍କ ସମ୍ମୁଖୀନ ହୋଇପାରିନଥିଲେ । ଫଳରେ ଦଳ ମାତ୍ର ୬୨ ରନ କରି ଅଲଆଉଟ ହୋଇଯାଇଥିଲା । ଅଶ୍ବିନୀ ୪ଟି ଓ୍ବିକେଟ ନେଇଥିବାବେଳେ ସିରାଜ ୩ଟି ଓ ଅକ୍ଷର ପଟେଲ ୨ଟି ଓ୍ବିକେଟ ନେଇଥିଲେ ।