ଭୁବନେଶ୍ବର: ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଥିଲା। ଇତିମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ମୌସୁମୀ ଆଉ ଆଗକୁ ବଢ଼ିପାରି ନାହିଁ। ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। କେବେ ମୌସୁମୀ ଆଗକୁ ବଢ଼ିବ ସେନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପ୍ରକାର ଆକଳନ କରିପାରି ନାହିଁ। ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ପୁଣିଥରେ ଚିନ୍ତା ବଢ଼ିବାରେ ଲାଗିଛି। କିଛି ଦିନର ବ୍ୟବଧାନ ପରେ ପାରଦ ଉପରମୁହାଁ ହୋଇଛି। ଆଜି ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଯେତେବେଳେ କି ବୌଦ୍ଧରେ ୪୨.୮, ପାରଳାଖେମୁଣ୍ଡିରେ ୪୨.୪, ବଲାଙ୍ଗୀରରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, ତାଳଚେର ଓ ସମ୍ବଲପୁରରେ ୪୧.୬, ବରଗଡ଼ ଓ ଢେଙ୍କାନାଳରେ ୪୧.୨, ଅନୁଗୁଳରେ ୪୧.୧, ଟିଟିଲାଗଡ଼, ଖୋର୍ଦ୍ଧା ଓ ରାଉରକେଲାରେ ୪୧ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଉପକୂଳରୁ ଉପାନ୍ତ ଓଡ଼ିଶା ପର୍ଯ୍ୟନ୍ତ ପାରଦ ୪୦ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ଗରମ ସହ ଗୁଳୁଗୁଳି ମଧ୍ୟ ଲାଗିରହିବ। ତେଣୁ ଅଂଶୁଘାତ ପରି ସମସ୍ୟା ଉପୁଜିପାରେ। ତେଣୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା(ପିକ୍ ଆୱାର) ପର୍ଯ୍ୟନ୍ତ ଶ୍ରମିକଙ୍କୁ କାର୍ଯ୍ୟ କରିବାକୁ ବାରଣ କରାଯିବ। ପିକ୍ ଆୱାରରେ ବାହାରକୁ ଯାଉଥିବା ବ୍ୟକ୍ତିବିଶେଷ ସତର୍କତା ଅବଲମ୍ବନ, ପଦାକୁ ବାହାରୁଥିଲେ ହାଲୁକା ଓ କଟନ୍ ଡ୍ରେସ୍ ପିନ୍ଧିବା, ଓଦା କପଡ଼ା ନ ହେଲେ ଛତାରେ ମୁଣ୍ଡକୁ ଢାଙ୍କିବା, ପର୍ଯ୍ୟାପ୍ତ ପାଣି ପିଇବା, ଓଆରଏସ୍ ସମେତ ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ ଲେମ୍ବୁ ପାଣି ଆଦି ପିଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।