ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ଏଣିକି ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଏହି ସମୟରେ ବିଜୁଳି, ପାନୀୟ ଜଳ, ରନ୍ଧନ ଗ୍ୟାସ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଏହି ସମୟରେ ଯୋଗାଇଦେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ନିଜ ଅନୁଷ୍ଠାନର ପରିଚୟପତ୍ର ଦେଖାଇ ଜରୁରୀକାଳୀନ ସେବାର କର୍ମଚାରୀମାନେ ଯିବାଆସିବା କରିପାରିବେ ।

ସେହିପରି ଅନୁଗୋଳ ଜିଲାରେ ଆଜିଠାରୁ ଲାଗୁ ହେଲା ରାତ୍ରୀ କାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ତେଣୁ ୯ଟାରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଡାକ୍ତରଖାନା, ଔଷଧ ଦୋକାନ ଓ କିଛି ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଛି। ଅନୁଗୋଳ ଉପଜିଲ୍ଲାପାଳ ଙ୍କ ସମେତ ପୁରା ପୋଲିସ ଟିମ ସହର ସାରା ବୁଲି ବୁଲି ରାତ୍ରୀ କାଳୀନ କର୍ଫ୍ୟୁରେ ପରିସ୍ଥିତି ତଦାରଖ କରୁଛି। ଯେଉଁମାନେ ବିନା କାମରେ କଟକଣାକୁ ବେଖାତିର କରି ବାହାରେ ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
