
ନିୟତିର ନିରୁଦ୍ଧିଷ୍ଟ ନେପଥ୍ୟ କକ୍ଷରେ
ଗୋଟେ ନିଃସଂଗ ନକ୍ଷତ୍ର
ନଦୀ ର ଘୁର୍ଣାୟନ ଜଳରାଶିର ଡଅଁର ଭଳି
ବିସ୍ତୀର୍ଣ ଆକାଶ ଗଂଗାରେ ମୋ ଏକାନ୍ତ ଜୀବନ
ବାରମ୍ବାର ବିକଶିବା ସ୍ୱପ୍ନମାନେ ବ୍ୟର୍ଥ ଆଉ ବିପର୍ଯ୍ୟସ୍ତ ||
ସମ୍ମୁଖରେ ଦିଗନ୍ତବ୍ୟାପି ଅସରନ୍ତି ଅନ୍ଧାରୁଆ ପଥ
ମୁଁ କିନ୍ତୁ ଛିଡା ହେଇଥାଏ ସମୟକୁ ପଛକରି କ୍ଷୁଧାର୍ତ ତ୍ରୁଷିତ ବାଟବଣା ଧର୍ଯ୍ୟବାନ ପଥିକ ||
ଅସମାହିତ ପ୍ରଶ୍ନର ପ୍ରାଚୀର
ସଂକୋଚ ର ଭାଂଗ ଭାଂଗ ପାହାଡି ଉତ୍ପୀଡିତ ଉପତ୍ୟକା
ଦୁର୍ଦୀନ ଦୁର୍ଭିକ୍ଷ ପ୍ରପିଡୀତ ପୁଳାଏ ଦୁରାକାଂକ୍ଷା
ମିଂଜିମିଂଜି ଆଲୋକକୁ ନେଇ ବଂଚିବାକୁ ବାଧ୍ୟ
ଯେତେଦିନ ପର୍ଯ୍ୟନ୍ତ ନିର୍ଯ୍ୟଶୀତ ନହେଇଛି
ଜୀବନ ର ଇଡା ପିଂଗଳା ସୁସୁମ୍ନା କାଣ୍ଡ ନିଶ୍ୱାସ ଅଙ୍କ ||
ଗୋଟେ ଉଦାହରଣ ମଉଳା ଫୁଲ କୁ
ବତାସର ଭୟ ବା କଣ ! ଏମିତିବି ସିଏ ଝରି ପଡିବ
ଦୁଃଖ ଏତିକି ! ଧ୍ୱଂସର ଅଭିପ୍ରାୟ ନେଇ
ଆସିଥିବା ପ୍ରତ୍ୟାଶୀଟା ଖାଲିହାତେ ଯା ଫେରିବ ||
କେତେଥର ଚିନ୍ତାକଲିଣି
ଅନାଦୃତ ଉପେକ୍ଷୀତ ନିଷ୍କରୁଣ ତୁମ ଦାନ ଜୀବନକୁ ଫେରେଇ ଲାଂଜାତାରା ଧୁମକେତୁ ପରି ଲମ୍ଫ ଦେବି ଅଥଳ ସାଗରର ଢେଉ ର ଆକର୍ଷଣରେ
ବହୁତଳ ସ୍ୱପ୍ନର ପାହାଚ ଚଢୁ ଚଢୁ
କେତେବେଳୁ ମାଡିଆସେ ସକାଳ
ଚିନ୍ତା କରିବାର ଶକ୍ତି ହୁଏ ଅପସୃତ
ନକ୍ଷତ୍ର ମୁଁ ଯେ ଦିବସେ ହରାଏ ଅସ୍ତିତ୍ୱ ||
ମେଘ ଅନ୍ଧାର ରାତିରେ ବାଦୁଆ ବଉଦ ଖଣ୍ଡେ କାଳହେଇ ଛିଡାହେଇଛି ମୋ ଛାତିରେ
ଭୋଗେ ମୁଁ ଅଜାଚିତ ଅଣଲେଉଟା ଦୁର୍ଭାଗ୍ୟର ଯାତନା
ତାଛଡା ବାରମ୍ବାର ଜହ୍ନର ଆଲୁଅ
ବିକିରଣ କରନ୍ତି ଅନେକ କୁତ୍ସାରଟନା ||
ମୋ ଇପ୍ସିତ ଦୃଶ୍ୟ ମାନେ ଲୁଚିଯାନ୍ତି
ଏ ଗ୍ରହର କାେଉ ଗୋଟେ ଅପନ୍ତରା କାେଣରେ
ମୁଁ ଏକା ନୁହେଁ ମୋ ଭଳି ଏମିତି ଅସଂଖ୍ୟ ନିପିଡୀତ ହୃଦୟ
ଚାହିଁଥିବେ ସାହା ଭରଷାକୁ
ଅବସାଦଗ୍ରସ୍ତ ଅସହାୟ ଆଖିର କରୁଣ ଚାହାଣୀ
ଖୋଜୁଥିବ ବଖାଣିବାକୁ ତା’ ଅନ୍ତର ବେଦନା
ସମଦୁଃଖି ମୁଁ କେମିତି ବୁଝିବିନି ?
ପଥଭୁଲା ନିସଂଗ ପକ୍ଷୀର କରୁଣଭାବନା ||
ଚିନ୍ମୟ କୁମାର ମିଶ୍ର