ଆସିଲା ଅକ୍ଟୋବର ଗାଇଡ୍‌ଲାଇନ୍‌ : ପାର୍ବଣ ପାଇଁ ହେଲା କଡା କଟକଣା, ପୌରାଞ୍ଚଳରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିଛନ୍ତି। ରାଜ୍ୟର ସହରାଂଚଳରେ ସେପ୍ଟେମ୍ବର ମାସ ଭଳି ରାତି ୧୦ଟାରୁ ସକାଳ ୫ଟା ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଭୁବନେଶ୍ୱର-କଟକରେ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଶ୍ର୍ରୀ ଜେନା କହିଛନ୍ତି ଯେ, ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ। ପୌରାଂଚଳରେ ସେପ୍ଟେମ୍ବର ମାସ ଭଳି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। କିନ୍ତୁ କଟକ ଓ ଭୁବନେଶ୍ୱରରେ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। କଟକ ଓ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଦୋକାନ-ବଜାର ପୂର୍ବ ଭଳି ଖୋଲିବ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଅନୁରୋଧ କରି ପରାମର୍ଶ ଦେଇଛନ୍ତି ଯେ, ପାର୍ବଣ ଋତୁରେ ସମସ୍ତେ ନିରାଡମ୍ବର ଭାବେ କୋଭିଡ ନିୟମ ପାଳନ କରିବା। ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ କୋଭିଡ-୧୯ ସଂକ୍ରମିତ ହାର ହ୍ରାସ କରିପାରିବା। ସେହିଭଳି କୋଭିଡର ୩ୟ ଲହରକୁ ନିୟନ୍ତ୍ରିତ କରିପାରିବ। ହରିଦ୍ୱାରରେ କୁମ୍ଭମେଳା ଓ କେରଳରେ ଓନାମ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ଥର ନିବେଦନ କରିଛନ୍ତି ଯେ, ପାର୍ବଣରେ ସତର୍କ ରହିବା। ଘର ଭିତରେ ପାଳନ କରିବା, ବାହାରେ ଭିଡ କରିବା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ଏସ୍‌ଆରସି କହିଛନ୍ତି, କୋଭିଡ-୧୯ ମୁକାବିଲା କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ସେ କହିଛନ୍ତି ଯେ, ଆଜି (ସେପ୍ଟେମ୍ବର ୩୦) ଦେଶରେ ୨୩ ହଜାରରୁ ଊର୍ଦ୍ଧ୍ୱ କୋଭିଡ ପଜିଟିଭ  ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ୨ଲକ୍ଷ ୭୭ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ କେରଳରେ କେବଳ ୧ଲକ୍ଷ ୪୦ ହଜାର ଥିବା ବେଳେ ମହାରାଷ୍ଟ୍ରରେ ପାଖାପାଖି ୪୦ ହଜାର ଅଛନ୍ତି।

ଓଡ଼ିଶାରେ ଆଜି ୬୦୨ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଏବେ ୫୬୪୨ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦେଶର ୧୮ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ କୋଭିଡ ରୋଗୀ ଅଛନ୍ତି। ସଂକ୍ରମଣ ହାର ନ କମିଲେ ତାହା ଆମ ପାଇଁ ଚିନ୍ତାର କାରଣ ହେବ। ଗତକିଛି ସପ୍ତାହ ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ସମୟରେ ଲୋକେ ଏକାଠି ହୋଇଥାନ୍ତି। ଜନସମାବେଶ ହୁଏ, ପରିବାର ଲୋକେ ଏକାଠି ହୁଅନ୍ତି। ଲୋକେ କୋଭିଡ ପାଳନ କରିପାରି ନଥାନ୍ତି। ତେଣୁ ଏହି ସମୟରେ ସତର୍କ ରହିବାକୁ ହେବ।

ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଅଗଷ୍ଟ ୯ରେ ପାର୍ବଣ ଋତୁ ପାଇଁ ଗାଇଡଲାଇନ ଜାରି କରିଥିଲେ। ପର୍ବ କେମିତି ପାଳନ କରାଯିବ, ସେଥିପାଇଁ ଗାଇଡଲାଇନରେ କହିଥିଲେ। ଅଗଷ୍ଟ ୩୧ରେ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଥିଲେ। ସାମାଜିକ, ରାଜନୈତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳାକୁ ବାରଣ କରାଯାଇଥିଲା। ପ୍ରେକ୍ଷାଳୟ, ସିନେମାହଲରେ କେମିତି କୋଭିଡ ନିୟମ ପାଳନ କରାଯିବ, ସେ ସଂପର୍କରେ ପରାମର୍ଶ ଦିଆଯାଇଥିଲା। ବିବାହ, ବ୍ରତ ଆଦି ସମାବେଶରେ ୨୫୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକଙ୍କୁ ବାରଣ କରାଯାଇଥିଲା। ବିବାହ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ରାତ୍ରୀକାଳନୀ କର୍ଫ୍ୟୁ ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ। କିନ୍ତୁ ଜରୁରୀକାଳୀନ ସେବା ପାଇଁ କଟକଣା କୋହଳ ଥିଲା। ସେହି ସେପ୍ଟେମ୍ବର ମାସର ଗାଇଡଲାଇନ୍‌ ଅକ୍ଟୋବର ମାସ ପାଇଁ ଲାଗୁ ହେବ।

Leave a Reply

Your email address will not be published. Required fields are marked *