ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ, ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ‌ହେଲା ଆଲୋଚନା.

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୈଠକ ହୋଇଛି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଫଳପ୍ରଦ ହୋଇଛି। ଦୁଇ ରାଜ୍ୟ ମଧ୍ୟରେ ଲାଗିରହିଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି। ଉଭୟ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମାଧାନର ବାଟ ବାହାର କରିବାକୁ ନିଷ୍ପତ୍ତି ହୋଇଛି।ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆପୋଷ ଆଲୋଚନା ଜରିଆରେ କରିବାକୁ ଦୁଇ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ସାମିଲ ହେବେ । କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ ଓ ବାହୁଦା ନଦୀରୁ ଜଳ ଛାଡିବା ଭଳି ସମସ୍ୟାର ସମାଧାନ କରିବା ପାଇଁ ଦୁଇ ରାଜ୍ୟ ରାଜି ହୋଇଛନ୍ତି ।

ବାମ ଉଗ୍ରବାଦ ଦମନ ଓ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବେ । ଶ୍ରୀକାକୁଲମ ବିଶ୍ୱବିଦ୍ୟାଳୟରେ ଏକ ଓଡିଆ ଚେୟାର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲେଗୁ ଚେୟାର ପ୍ରତିଷ୍ଠା ଦିଗରେ ଦୁଇ ରାଜ୍ୟ କାମ କରିବେ ବୋଲି କହିଛନ୍ତି । ଏହାଛଡା ଦୁଇ ରାଜ୍ୟର ସୀମାନ୍ତ ଅଂଚଳରେ ଥିବା ସ୍କୁଲଗୁଡିକରେ ଓଡିଆ ଓ ତେଲେଗୁ ଭାଷା ଶିକ୍ଷକ ନିଯୁକ୍ତି କରାଯିବ । ସୀମାବର୍ତ୍ତୀ ସ୍କୁଲଗୁଡ଼ିକରେ ବହି ଯୋଗାଣ, ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ବ୍ୟବସ୍ଥା ହେବ । ସଙ୍ଘୀୟ ବ୍ୟବସ୍ଥାରେ ଉଭୟ ରାଜ୍ୟ ପରସ୍ପରକୁ ସାହାଯ୍ୟ ଓ ସହଯୋଗ ବଜାୟ ରଖିବାକୁ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ  ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ଏତଦ୍‌ ବ୍ୟତୀତ ରାଜ୍ୟ ସରକାରଙ୍କ ଜଳ ସଂପଦ ସଚିବ, ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ। ସେହିପରି ଆନ୍ଧ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *