୮୫ ବର୍ଷ ରେ ଓଡିଶା । ରାଜ୍ୟ ବିକାଶ ପାଇଁ ଅନେକ କଥା କେବଳ ଆଇନ ଓ ଯୋଜନାରେ ସୀମିତ ।

ଭୁବନେଶ୍ବର: ୮୫ ବର୍ଷରେ ଓଡିଶା ପ୍ରଦେଶ ପାଦ ଥାପିଛି । ମାତ୍ର କୋରନା ପାଇଁ  ଓଡ଼ିଶା ମାଟିର ଏହି ଜନ୍ମ ଦିବସ ଫିକା ପଡ଼ିଛି । ରାଜ୍ୟ ସରକାର କୋଭିଡ୍ କଟକଣା ଭିତରେ ଉତ୍କଳ ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତ ବର୍ଷ ରାଜ୍ୟ ସରକାର ବହୁ ବର୍ଷର ପ୍ରତିଶ୍ରୁତିକୁ ସାକାର କହି ‘ବନ୍ଦେ ଉତ୍କଳ ଜନନୀକୁ..’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ଓଡ଼ିଆ ଭାଷାକୁ ନେଇ ବହୁ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ  କିମ୍ବା  ଓଡ଼ିଶାର ଅଖଣ୍ଡତା ବଜାୟ ରଖିବା ଲାଗି ଉପାନ୍ତ ଅଞ୍ଚଳରେ ବିକାଶ ପହଞ୍ଚୁ ନାହିଁ, ଫଳରେ ଓଡ଼ିଆ ଲୋକେ ପଡ଼ୋଶୀ ରାଜ୍ୟରେ ସାମିଲ ହେବାକୁ ଆଗ୍ରହୀ ହେଉଛନ୍ତି।

୬ ବର୍ଷ ତଳୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲାଣି। ମାତ୍ର ଆଜି ପର୍ଯ୍ୟନ୍ତ ଭାଷା କେବଳ ମାନ୍ୟତାରେ ହିଁ ସୀମିତ ରହିଯାଇଛି। ସୀମା ବିବାଦ ବି ଏ ପର୍ଯ୍ୟନ୍ତ ତୁଟି ପାରିଲା ନାହିଁ। କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ବହୁ ବାଦ ବିବାଦ ଲାଗି ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର ବହୁ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ପଶ୍ଚିମବଙ୍ଗ ସରକାରର ଲୋଲୁପ ଦୃଷ୍ଟି ରହିଛି। ଛତିଶଗଡ଼ ସରକାର ଓଡ଼ିଶାର ଗଜମାର ପାହାଡ଼ ସହିତ ଝାରଗାଁକୁ ନିଜର ଦର୍ଶାଇ ପାହାଡ଼ କାଟି ଶିଳ୍ପ ସଂସ୍ଥା ପାଇଁ ବେଆଇନ ଭାବେ ରେଳ ଧାରଣା ବିଛାଇବାକୁ ଚେଷ୍ଟା କରୁଛି। ତେଣୁ ଓଡ଼ିଶା ପ୍ରଦେଶ ଏବେ ବି ତା’ର ସୀମାକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଅନ୍ୟପକ୍ଷରେ ନାମ ଫଳକ ନେଇ ଜାରି ହୋଇଥିବା ନିର୍ଦେଶନାମା ବି କଡ଼ାକଡ଼ି ପାଳନ ହୋଇନାହିଁ । ପ୍ରତ୍ୟେକ ସ୍ତରରେ ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ଆଇନ୍‌ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୨୦୧୧ ମସିହା ଅଗଷ୍ଟ ୨୯ରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲାଣି। ସମସ୍ତ କାର୍ଯ୍ୟାଳୟ ନାମ ଫଳକ ଓଡ଼ିଆରେ ଲେଖିବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ହେଲେ ଏହାକୁ ଅଧିକାଂଶ ସ୍ଥାନରେ କଡ଼ାକଡ଼ି ପାଳନ କରାଗଲା ନାହିଁ। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ବି ଏହାକୁ ସ୍ବତଃ ପାଳନ କରି ଉତ୍କଳ ଜନନୀ ପ୍ରତି ଶ୍ରଦ୍ଧା ଦେଖାଇବାକୁ ଆଗଭର ହେଲେ ନାହିଁ। ସେହିପରି ଓଡ଼ିଶା ଭାଷା ଆୟୋଗ ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଆ ଭର୍ଚୁଆଲ ଏକାଡେମି ଗଠନ କରାଯାଇଛି। ଓଡ଼ିଆ ଭାଷାରେ ଶାସନ ପାଇଁ ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି। ସରକାରୀ ସ୍ତରରେ ସମସ୍ତ ନଥି ପତ୍ର ଓଡ଼ିଆରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତାହା କିନ୍ତୁ ସାକାର ରୂପ ନେଇ ପାରିନାହିଁ। ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଆଜି ଯାଏ ଇଟା ଖଣ୍ଡେ ପଡ଼ି ପାରିନାହିଁ। ଅନେକ କଥା କେବଳ ଆଇନ ଓ ଯୋଜନାରେ ସୀମିତ ରହିଯାଇଛି।

Leave a Reply

Your email address will not be published. Required fields are marked *