ଅନୁଗୋଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୬ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା ସହ ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି ସଂକ୍ରମନକୁ ବ୍ରେକ ଲଗାଇ ହେବ। ତେଣୁ ଜିଲ୍ଲାରେ ଟୀକାକରଣକୁ ବ୍ୟାପକ କରିବାକୁ ପଦକ୍ଷେପ ନେଇଛି ପ୍ରଶାସନ। କିଭଳି ସହଜ ଓ ସୁବିଧାରେ ଅଧିକ ଲୋକ ଟୀକା ନେଇ ପାରିବେ ସେଥିପାଇଁ ଆରମ୍ଭ କରାଯାଇଛି ମେଗା ଟୀକାକରଣ କାର୍ଯ୍ୟକ୍ରମ। ଅନୁଗୋଳ ଷ୍ଟାଡିଅମ ପଡିଆରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ହଜାର ଲୋକ ବସି ପରିବା ଭଳି ଏକ ସୁ ବ୍ୟବସ୍ଥିତ ତମ୍ବୁ ଲଗା ଯାଇଛି। ତା ଭିତରେ ପାନୀୟ ଜଳ, ଫ୍ୟାନ, ଚୌକି ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରହିଛି। ଏହାଛଡା ଟୀକା ନେବାକୁ ଆସୁଥିବା ଲୋକ କିଭଳି ସୁବିଧା ଏବଂ ଶୃଙ୍ଖଳିତ ଭାବେ ଏଠାକୁ ଆସିବେ ସେଥିପାଇଁ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଏଠାକୁ ଆସୁଥିବା ଲୋକେ କୌଣସି ଅସୁବିଧାର ସମ୍ମୁଖିନ ନକରି ଟୀକା ନେଉଛନ୍ତି। ସକାଳେ ୮ଟା ରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟୀକା ନେବାକୁ ସମୟ ସ୍ଥିର କରାଯାଇଛି। ଦୈନିକ ୧ହଜାର ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ନିଷ୍ପତି ନେଇଛି।

ଏହି ମେଗା ଟୀକାକରଣ କ୍ୟାମ୍ପରେ ପୋଲିସ ଓ ପୌର କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ୮ଟି କେବିନରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଲୋକଙ୍କୁ ଟୀକା ଦେଉଛନ୍ତି। ଏଠାକୁ ଆସୁଥିବା ଲୋକେ କିଭଳି କରୋନା କଟକଣାକୁ ମାନିବେ, ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ସେଥିପାଇଁ ପୋଲିସ ସବୁବେଳେ ସଜାଗ ରହି ଲୋକଙ୍କୁ ବୁଝାଉଛି। ଏହି ଦାୟିତ୍ୱ ଜଣେ ଅତିରିକ୍ତ ଏସପି ଏବଂ ଥାନା ଅଧିକାରୀଙ୍କୁ ଦିଆ ଯାଇଛି। ଟୀକାକରଣ କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ ୩ଟି ଚେକିଂ ବ୍ୟାରିକେଟ ଦେଇ ଆସିବାକୁ ପଡୁଛି। ଏହାଛଡା ପଞ୍ଜିକରଣ ଓ ଟୋକାନ ଦେବାକୁ ପୌର କର୍ମଚାରୀ ମାନେ ପ୍ରାୟ ୪ଟି ସ୍ଥାନରେ ବସି ରହିଛନ୍ତି। ସିଡିଏମଓ ଏବଂ ପୌର ନିର୍ବାହୀ ଅଧିକାରୀ ସବୁ ସମୟରେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଜିଲାର ସମସ୍ତ ବ୍ୟକ୍ତି ଟୀକା ପାଇବା ପର୍ଯ୍ୟନ୍ତ ଏହି ମେଗା ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣା ପଡ଼ିଛି।

ଅନୁଗୁଳରେ ଆରମ୍ଭ ହୋଇଥିବା ଏଭଳି ମେଗା ଟୀକାକରଣ କ୍ୟାମ୍ପ ସାରା ରାଜ୍ୟରେ ପ୍ରଥମ ବୋଲି ଜଣାପଡିଛି। ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।


