‘ୟାସ’ ପ୍ରଭାବରେ ବୈତରଣୀରେ ଆସିଲା ପ୍ରଥମ ବନ୍ୟା ଜଳ .

ଭଦ୍ରକ : ଭଦ୍ରକ ଜିଲ୍ଲାରେ କରୋନା କଷଣ ସହ ବାତ୍ୟା ‘ୟସ’ ର ଦୁଃଖ ଭିତରେ ପୁଣି ମାଡ଼ିଆସୁଛି ବୈତରଣୀରେ ବନ୍ୟା। ବାତ୍ୟା ୟସ ର ପ୍ରଭାବାରେ ଭଦ୍ରକ ଜିଲ୍ଲାରେ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ଗତକାଲି ରାତିଠାରୁ ବୈତରଣୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଆଜି ଦିନ ବାରଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ବୈତରଣୀର ବିପଦ ସଙ୍କେତ ଲେବୁଲ ୧୭. ୮୩ ମିଟର ରହିଥିବାର ବେଳେ ଏହି ବିପନ ସଙ୍କେତ ପାର ହୋଇ ଜଳସ୍ତର ୧୭.୯୨ରେ ପହଞ୍ଚିଛି। ସଂଧ୍ୟା ବେଳକୁ ଏହାର ଜଳ ସ୍ତର ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବୈତରଣୀର ଉପରମୁଣ୍ଡରେ ଆନନ୍ଦପୁର ଓ କେନ୍ଦୁଝରରେ ଅଧିକ ବର୍ଷା ହେଲେ ବୈତରଣୀ ଆହୁରି ଅଧିକ ଫୁଲିବ ବୋଲି ଆଶଙ୍କା କରାଯାଉଥିବା ବେଳେ ନଦୀ  କୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଲୋକମାନେ ୪ ଦିନ ହେଲା ଅନ୍ଧାର ଭିତରେ ରହିଥିବା ବେଳେ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ। ଅଧିକାଂଶ ଗାଁ ରେ ବର୍ଷା ଜଳ ପ୍ରବଶେ କରିଥିବା ବେଳେ ଗାଁ ସବୁ ବୁଡିଛି। ଏପରି ଏପରି ଦୁଃଖ ସମୟରେ ପୁଣି ବୋଝ ଉପରେ ନଳିତା ବିଡା ଭଳି ବୈତରଣୀରେ ମାଡି ଆସିଛି ବନ୍ୟାଜଳ। ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଭଦ୍ରକ – ଯାଜପୁର ରାସ୍ତା ମାଳଦା ଠାରେ ବିଚ୍ଛିନ୍ନ ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାସ୍ତା ଉପରେ ଗମନା ଗମନ ସମ୍ଭବ ହୋଇ ପାରୁ ନାହିଁ। ସକାଳଠାରୁ ଏଇ ରାସ୍ତା ବୁଡି ଯାଇଥିବା ବେଳେ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି। ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛ।

Leave a Reply

Your email address will not be published. Required fields are marked *