ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି : ୪୧ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ‘କାଳିଆ’ ସହାୟତା

ଭୁବନେଶ୍ଵର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭେଟି। ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମଗ୍ର ରାଜ୍ୟର ଚାଷୀଙ୍କୁ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର ।

ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ। ଏଥିପାଇଁ ମୋଟ ୮୬୯ କୋଟି ଟଙ୍କା ଦିଆଯିବ । କ୍ଷୁଦ୍ର ନାମମାତ୍ର ଭାଗଚାଷୀଙ୍କୁ ମଧ୍ୟ ମିଳିବ କାଳିଆ ସହାୟତା । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା । ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ କାଳିଆ ଟଙ୍କା ଦେଇ ଆସୁଛନ୍ତି ସରକାର । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଁଖାଇରେ ୮ମ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୬୯ କୋଟି ଟଙ୍କା ବଣ୍ଟାଯିବ।

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବ।

‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ।

Leave a Reply

Your email address will not be published. Required fields are marked *